Publicidade

Oséias 4

ଇସ୍ରାଏଲ ବିରୁଦ୍ଧରେ ପରମେଶ୍ୱରଙ୍କ ଅଭିଯୋଗ

1 ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;

କାରଣ ଦେଶରେ ସତ୍ୟ ଅବା ଦୟା କିଅବା ପରମେଶ୍ୱର ବିଷୟକ ଜ୍ଞାନ ନ ଥିବାରୁ

ଦେଶନିବାସୀଗଣ ସହିତ ସଦାପ୍ରଭୁଙ୍କର ବିବାଦ ଅଛି।

2 ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ;

ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ।

3 ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ,

କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ ଦୁର୍ବଳ ହେବେ;

ହଁ, ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ଦୂରୀକୃତ ହେବେ।

4 ତଥାପି କୌଣସି ମନୁଷ୍ୟ ବିବାଦ ନ କରୁ, କିଅବା କୌଣସି ମନୁଷ୍ୟ ଅନୁଯୋଗ ନ କରୁ;

କାରଣ ତୁମ୍ଭର ଲୋକମାନେ ଯାଜକ ସହିତ ବିବାଦକାରୀ ଲୋକମାନଙ୍କର ତୁଲ୍ୟ ଅଟନ୍ତି।

5 ପୁଣି, ତୁମ୍ଭେ ଦିନ ବେଳେ ଝୁଣ୍ଟି ପଡ଼ିବ

ଓ ଭବିଷ୍ୟଦ୍‍ବକ୍ତା ମଧ୍ୟ ରାତ୍ରିକାଳରେ ତୁମ୍ଭ ସଙ୍ଗେ ଝୁଣ୍ଟି ପଡ଼ିବ;

ଆଉ, ଆମ୍ଭେ ତୁମ୍ଭର ମାତାକୁ ବିନାଶ କରିବା।

6 ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି;

କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା,

ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ;

ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ

ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।

7 ସେମାନେ ଯେତେ ଅଧିକ ବୃଦ୍ଧି ପାଇଲେ

ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କଲେ;

ଆମ୍ଭେ ସେମାନଙ୍କର ଗୌରବ ଅପମାନରେ ପରିଣତ କରିବା।

8 ସେମାନେ ଆମ୍ଭ ଲୋକମାନଙ୍କ ପାପରେ ପ୍ରତିପୋଷିତ ହୁଅନ୍ତି,

ଆଉ ସେମାନଙ୍କ ଅଧର୍ମରେ ଆପଣା ଆପଣା ଅନ୍ତଃକରଣକୁ ଆସକ୍ତ କରନ୍ତି।

9 ଏଣୁ ଯେପରି ଲୋକମାନଙ୍କ ଉପରେ ସେହିପରି ଯାଜକମାନଙ୍କ ଉପରେ ବର୍ତ୍ତିବ;

ପୁଣି, ଆମ୍ଭେ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା

ଓ ସେମାନଙ୍କ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।

10 ତହିଁରେ ସେମାନେ ଭୋଜନ କଲେ ମଧ୍ୟ ତୃପ୍ତ ହେବେ ନାହିଁ;

ବ୍ୟଭିଚାର କଲେ ମଧ୍ୟ ବହୁବଂଶ ହେବେ ନାହିଁ;

କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି।

11 ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।

12 ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି

ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ;

କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି,

ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି।

13 ସେମାନେ ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି

ଓ ଉପପର୍ବତଗଣର ଉପରେ ଅଲୋନ, ଲିବ୍‍ନି

ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି, କାରଣ ତହିଁର ଛାୟା ଉତ୍ତମ;

ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି।

14 ତୁମ୍ଭର କନ୍ୟାଗଣ ବେଶ୍ୟାଚାର କଲା ବେଳେ

ଓ ତୁମ୍ଭର ବଧୂଗଣ ବ୍ୟଭିଚାର କଲା ବେଳେ

ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା ନାହିଁ;

କାରଣ ସେମାନେ ଆପେ ବେଶ୍ୟାମାନଙ୍କ ସଙ୍ଗେ ଦେବଗଣର ମନ୍ଦିରକୁ ଯାଆନ୍ତି

ଓ ମାହାରୀମାନଙ୍କ ସଙ୍ଗେ ବଳିଦାନ କରନ୍ତି;

ଯେଉଁ ଲୋକମାନେ ବୁଝନ୍ତି ନାହିଁ, ସେମାନେ ଉତ୍ପାଟିତ ହେବେ।

15 ହେ ଇସ୍ରାଏଲ, ତୁମ୍ଭେ ଯଦ୍ୟପି ବେଶ୍ୟାବୃତ୍ତି କର,

ତଥାପି ଯିହୁଦା ସେପରି ଦୋଷଗ୍ରସ୍ତ ନ ହେଉ;

ଆଉ, ତୁମ୍ଭେମାନେ ଗିଲ୍‍ଗଲ୍‍ରେ ଉପସ୍ଥିତ ହୁଅ ନାହିଁ,

କିଅବା ବେଥ୍-ଆବନକୁ ଯାଅ ନାହିଁ;

ଅଥବା ସେଠାରେ ଜୀବିତ ସଦାପ୍ରଭୁ ବୋଲି ଶପଥ କର ନାହିଁ।

16 କାରଣ ସ୍ଵେଚ୍ଛାଚାରିଣୀ ଗାଭୀ ତୁଲ୍ୟ ଇସ୍ରାଏଲ ଆପେ ସ୍ଵେଚ୍ଛାଚାରୀ ହୋଇଅଛି;

ଏବେ ସଦାପ୍ରଭୁ ସେମାନଙ୍କୁ ମେଷଶାବକ ପରି ପ୍ରଶସ୍ତ ସ୍ଥାନରେ ଚରାଇବେ।

17 ଇଫ୍ରୟିମ ପ୍ରତିମାଗଣ ପ୍ରତି ଆସକ୍ତ ହୋଇଅଛି; ତାକୁ ଛାଡ଼ିଦିଅ।

18 ସେମାନଙ୍କର ପେୟଦ୍ରବ୍ୟ ଅମ୍ଳ ହୋଇଅଛି;

ସେମାନେ ଅବିରତ ବେଶ୍ୟାଗମନ କରନ୍ତି;

ତାହାର ଶାସନକର୍ତ୍ତାମାନେ ଅପମାନକୁ ଅତିଶୟ ଭଲ ପାଆନ୍ତି।

19 ବାୟୁ ତାହାକୁ ଆପଣା ପକ୍ଷରେ ଆଚ୍ଛାଦନ କରିଅଛି

ଓ ସେମାନେ ଆପଣାମାନଙ୍କର ବଳିଦାନ ସକାଶୁ ଲଜ୍ଜିତ ହେବେ।

Veja também

Publicidade
Oséias
Ver todos os capítulos de Oséias
Bíblia Online Bíblia Online

Bíblia Online • Versão: 2026-06-15_21-32-39-