22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ, 23 ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ। 24 ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ। 25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍। 26 ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ, 27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।