ବିଶ୍ୱାସ ଓ କର୍ମର ପରିପୂରକତା
14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ? 15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, 16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? 17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ। 18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି। 19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି। 20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ? 21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ? 22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା; 23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ। 24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ। 25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ? 26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।