Publicidade

Tiago 4

ଜାଗତିକମନା ବିଷୟରେ ସତର୍କତା

1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ? 2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ; 3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ। 4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ। 5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି? 6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି,

"ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି,

କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।"

7 ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ। 8 ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର। 9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ। 10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।

ଭାଇ ବିରୁଦ୍ଧରେ ବିଚାର

11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ। 12 ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ?

ଭବିଷ୍ୟତର ଗର୍ବ

13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ; 14 କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ। 15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ। 16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ। 17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ।

Veja também

Publicidade
Tiago
Ver todos os capítulos de Tiago
Bíblia Online Bíblia Online

Bíblia Online • Versão: 2026-06-16_18-40-07-