ଦୁଇଟା ସିସ୍ମନ୍ ଇମାୟୁ ଗାଏଁ ଗାଲାଇ
13 ସେ ଦିନେସେ ଜିସୁର୍ ଦୁଇଟା ସିସ୍ମନ୍ ଜିରୁସାଲମେଅନି ଏଗାର କିଲମିଟର୍ ଦୁର୍କେ ରଇଲା ଇମାୟୁ ନାଉଁର୍ ଗାଏଁ ଇଣ୍ଡିକରି ଜାଇତେ ରଇଲାଇ । 14 ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍ କାତାଅଇ କାତାଅଇ ଇଣ୍ଡ୍ତେ ରଇଲାଇ । 15 ସେମନ୍ ଏନ୍ତି କାତାବାର୍ତା ଅଇ ଆଇବାବେଲେ ଏଦେ ଦେକା ! ଜିସୁ ନିଜେ ଆସି ସେମନର୍ ସଙ୍ଗ୍ ଇଣ୍ଡ୍ବାର୍ ଦାର୍ଲା । 16 ସେମନ୍ ତାକେ ଦେକ୍ଲାଇ, ମାତର୍ ଚିନି ନାପାର୍ଲାଇ । 17 ସେଡିକିବେଲେ ଜିସୁ ସେମନ୍କେ କଇଲା, "ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି ?" ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ । 18 "ଗାଲା କେତେଦିନ୍ ବିତ୍ରେ ଜିରୁସାଲାମ୍ ଜନ୍ ଗଟ୍ନା ଗଟିଗାଲା ଆଚେ ? ସେଟା ନାଜାନ୍ଲାଟା ତୁଇ ଗଟେକ୍ ଲକ୍ସେ କି ?"
19 ଜିସୁ ସେମନ୍କେ ପାଚାର୍ଲା, "କାଇଟା ଅଇରଇବା ବିସଇ ତମେ କଇଲାସ୍ନି ?" ସେମନ୍, "ନାଜରିତର୍ ଜିସୁକେ ଜାଇଟା ସବୁ ଗଟ୍ଲା । ସେ ଗଟେକ୍ ବବିସତ୍ବକ୍ତା ରଇଲା । ପର୍ମେସରର୍ ମୁଆଟେ ଆରି ଲକ୍ମନର୍ଟାନେ ଗଟେକ୍ ବପୁସଙ୍ଗର୍ ଲକ୍ ରଇଲା । ତାର୍ ସବୁକାମ୍ ଆରି କାତାଇଅନି ଏ ସବୁ ଜାନାପଡ୍ତେ ରଇଲା । 20 ଆମର୍ ମୁକିଅ ପୁଜାରିମନ୍ ଆରି ସାସନ୍ କାରିଆମନ୍ ତାକେ ମରନ୍ ଡଣ୍ଡ୍ ପାଇବାକେ ସତ୍ରୁମନ୍କେ ସର୍ପିଦେଲାଇ ଆରି ତାକେ କୁର୍ସେ ଚଗାଇ ମରାଇଲାଇ । 21 ସେ ଆକା ଇସ୍ରାଏଲର୍ ଲକ୍ମନ୍କେ ରକିଆ କର୍ସି ବଲି ଆସା କରି ରଇଲୁ । ମାତର୍ ତାକେ ମରାଇ ତିନ୍ଦିନ୍ ଅଇଲାନି । 22 ଆମର୍ ଦଲର୍ କେତେଟା ମାଇଜିମନ୍ ଆମ୍କେ କାବାଅଇଜିବା କାତା କଇଲାଇ । ସେମନ୍ ଆଜି ସାକାଲ୍ ସାକାଲ୍ ତାର୍ ମଡ୍ ରଇବା ପାଆରେ ଗାଲାଇ । 23 ମାତର୍ ତେଇ ତାର୍ ଗାଗଡ୍ ନ ରଇଲା । ସେମନ୍ କଇଲାଇ, ପାଆରେଅନି ବାଉଡ୍ଲାବେଲେ ସରଗର୍ ଦୁତ୍ମନର୍ ଦର୍ସନ୍ ପାଇରଇଲା ଆରି ସେ ଦୁତ୍ମନ୍ ଜାନାଇଲାଇଜେ, ସେ ଏବେ ଜିବନ୍ ଅଇଆଚେ । 24 ଆମର୍ ସଙ୍ଗାରିମନର୍ ବିତ୍ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍ଲାଇ ମିସା ମାଇଜିମନ୍ ଜେନ୍ତି କଇରଇଲାଇ, ସେ ସମାନ୍ ଇସାବେ ଦେକ୍ଲାଇ । ମାତର୍ ସେମନ୍ ଜିସୁକେ ଦେକତ୍ ନାଇ ।"
25 ସେବେଲେ ଜିସୁ ସେମନ୍କେ କଇଲା, "ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ ? 26 ଏ ସବୁ ଦୁକ୍କସ୍ଟ ପାଇଲା ପଚେସେ ପର୍ମେସର୍ ବାଚିପାଟାଇଲା କିରିସ୍ଟକେ ମଇମା ପାଇବାକେ ଅଇସି । 27 ଜିସୁ ମସାର୍ ବଇତେଇଅନି ଆରି ବିନ୍ ବିନ୍ ବବିସତ୍ବକ୍ତାମନ୍ ଲେକିରଇଲା କାତାଇ ଅନି ଆରାମ୍ କରି ସବୁ ଦରମ୍ ସାସ୍ତରେ ତାର୍ ଜେତ୍କି ବିସଇ ଲେକା ଅଇରଇଲା, ସେ ସବୁ ସେମନ୍କେ ବୁଜାଇଦେଲା ।"
28 ଆରି ସେମନ୍ ଜନ୍ ଗାଉଁ ଜିବାର୍ ରଇଲା, ସେ ଗାଉଁ ଲଗାଲଗି ଅଇବାକେ ଜିସୁ ଆଗ୍ତୁ ଗାଲାପାରା ଅଇ ଇଣ୍ଡ୍ବାର୍ ଦାର୍ଲା । 29 ମାତର୍ ସେ ଲକ୍ମନ୍ ଜିସୁକେ ସୁତ୍ରାଇ କରି କଇଲାଇ, "ଆମର୍ ସଙ୍ଗ୍ ର, କାଇକେ ବଇଲେ ବେଲ୍ ବସିଗାଲା ଆରି ରାତି ଅଇଗାଲାନି ।" ସେଟାର୍ ପାଇ ଜିସୁ ସେମନର୍ ସଙ୍ଗ୍ ରଇବାକେ ଗର୍ବିତ୍ରେ ଗାଲା । 30 ଆରି ସେମନର୍ ସଙ୍ଗ୍ କାଇବାକେ ବସ୍ଲା । ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଇକରି ସେଟା ବାଙ୍ଗାଇକରି ସେମନ୍କେ ଦେଲା । 31 ସେ ବେଲାଇ ସେମନର୍ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍ଲାଇ । ମାତର୍ ସେ ଦାପ୍ରେ ଜିସୁ ସେମନର୍ତେଇଅନି ମାୟା ଅଇଗାଲା । 32 ସେବେଲାଇ ସେମନ୍ ସେମନର୍ ବିତ୍ରେ କାତା ଅଇଲାଇ, "ଜେଡେବଲ୍ ସେ ଆମର୍ ସଙ୍ଗ୍ ବାଟେ କାତା ଅଇତେ ରଇଲା, ଆରି ପର୍ମେସରର୍ ସାସ୍ତରର୍ କାତା ବୁଜାଇ ଦେଇତେ ରଇଲା, ଆମର୍ ମନ୍ ବିତ୍ରେ ଉଡୁକ୍ ଦୁଡୁକ୍ ନ ଅଇତେ ରଇଲା କି ?"
33 ସେଦାପ୍ରେ ସେମନ୍ ଦୁଇଲକ୍ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍ ଏଗାର୍ଟା ସିସ୍ମନ୍ ଆରି ବିନ୍ଲକ୍ମନ୍ କାତାବାର୍ତା ଅଇତେରଇଲାଟା ଦେକ୍ଲାଇ । 34 ସେ ଲକ୍ମନର୍ତେଇଅନି ସେମନ୍ ଜିସୁମାପ୍ରୁ ଆରି ତରେକ୍ ଜିବନ୍ଅଇ ଉଟ୍ଲା ଆଚେ ଆରି ସିମନ୍କେ ଦେକାଇଅଇଲା ଆଚେ ବଲି ଜାନ୍ଲାଇ ।
35 ତାର୍ ପଚେ ଦୁଇଲକ୍ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍କେ କଇଲାଇ ।