ଈଶ୍ବରଙ୍କ ଅନୁଗ୍ରହର ଭଣ୍ଡାରଘରିଆ
1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି, 2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର। 3 ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; 4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି; 5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ।