Publicidade

Eclesiastes 12

1 ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି। 2 ସେହି ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବେ, ପୁଣି ବୃଷ୍ଟି ଉତ୍ତାରେ ପୁନର୍ବାର ମେଘ ହେବ; 3 ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ହେବାରୁ କର୍ମରୁ ନିବୃତ୍ତ ହେବେ, ପୁଣି ଝରକାରେ ଦୃଷ୍ଟିକାରିଣୀମାନେ ଅନ୍ଧକାରଗ୍ରସ୍ତା ହେବେ; 4 ଓ ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ, ସେହି ସମୟରେ ପେଷଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକ ଜାଗି ଉଠିବ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ; 5 ଆହୁରି, ସେମାନେ ଉଚ୍ଚସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି; 6 ସେହି ସମୟରେ ରୂପାର ତାର ହୁଗୁଳା ହେବ, ସୁବର୍ଣ୍ଣ ପାତ୍ର ଭଗ୍ନ ହେବ, ମାଟିର ପାତ୍ର ଜଳସ୍ରୋତ ନିକଟରେ ଚୂର୍ଣ୍ଣ ହେବ ଓ କୂପରେ ଚକ୍ର ଭଗ୍ନ ହେବ; 7 ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। 8 ଉପଦେଶକ କହନ୍ତି, ଅସାରର ଅସାର, ସବୁ ହିଁ ଅସାର।

ସାର କଥା

9 ଆହୁରି, ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲେ; ପୁଣି, ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ କ୍ରମ ଅନୁସାରେ ସଜାଡ଼ି ରଖିଲେ। 10 ଉପଦେଶକ ମନୋହର ବାକ୍ୟ ଓ ଯାହା ସରଳ ଭାବରେ ଲେଖାଗଲା, ସେହି ସତ୍ୟ ବାକ୍ୟ ପାଇବାକୁ ଅନ୍ଵେଷଣ କଲେ।

11 ଜ୍ଞାନବାନ‍ର ବାକ୍ୟସବୁ ଅଙ୍କୁଶ ସ୍ୱରୂପ ଓ ସଭାପତିଗଣର ବାକ୍ୟ ଦୃଢ଼ବଦ୍ଧ ଲୌହ କଣ୍ଟକ ସ୍ୱରୂପ, ତାହାସବୁ ଏକ ପାଳକ ଦ୍ୱାରା ଦତ୍ତ ହୋଇଅଛି। 12 ଆହୁରି, ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର; ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ; ପୁଣି, ବହୁ ଅଭ୍ୟାସ ଶରୀରର କ୍ଳାନ୍ତିଜନକ।

13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। 14 ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ।

Veja também

Publicidade
Eclesiastes
Ver todos os capítulos de Eclesiastes
Bíblia Online Bíblia Online

Bíblia Online • Versão: 2026-06-15_21-32-39-