Publicidade

Eclesiastes 7

ଜ୍ଞାନୀ ଏବଂ ଅଜ୍ଞାନୀ

1 ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ

ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।

2 ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ;

କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି

ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ।

3 ହାସ୍ୟଠାରୁ ଖେଦ ଭଲ;

କାରଣ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ।

4 ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ,

ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ।

5 ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା

ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ।

6 କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି,

ମୂର୍ଖର ହାସ୍ୟ ସେପରି; ଏହା ହିଁ ଅସାର।

7 ନିଶ୍ଚୟ ଅନ୍ୟାୟ ଧନଗ୍ରହଣ ଜ୍ଞାନୀ ଲୋକକୁ ନିର୍ବୋଧ କରେ

ଓ ଲାଞ୍ଚ ବୁଦ୍ଧି ନଷ୍ଟ କରେ।

8 କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ;

ପୁଣି, ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ।

9 କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ;

କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ।

10 "ବର୍ତ୍ତମାନ କାଳ ଅପେକ୍ଷା ପୂର୍ବ କାଳ ଭଲ ଥିବାର କାରଣ କଅଣ," ଏହା ନ କୁହ,

କାରଣ ତୁମ୍ଭେ ଏ ବିଷୟ ଜ୍ଞାନରେ ପ୍ରଶ୍ନ କରୁ ନାହଁ।

11 ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ;

ଆହୁରି, ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ।

12 କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ;

ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ, ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ।

13 ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର;

କାରଣ ସେ ଯାହା ବଙ୍କା କରିଅଛନ୍ତି, କିଏ ତାହା ସଳଖ କରିପାରେ?

14 ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର;

ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ,

ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି।

15 ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି;

ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ,

ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।

16 ଅତିରିକ୍ତ ଧାର୍ମିକ ହୁଅ ନାହିଁ; କିଅବା ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ; କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ? 17 ତୁମ୍ଭେ ଅତି ଦୁଷ୍ଟ ହୁଅ ନାହିଁ, କିଅବା ନିର୍ବୋଧ ହୁଅ ନାହିଁ; ଆପଣା କାଳ ପୂର୍ବରେ କାହିଁକି ମରିବ? 18 ଏହା ଧରି ରଖିବାର, ମଧ୍ୟ ତାହାଠାରୁ ହସ୍ତ କାଢ଼ି ନ ନେବାର ତୁମ୍ଭର ଉତ୍ତମ; କାରଣ ଯେ ପରମେଶ୍ୱରଙ୍କୁ ଭୟ କରେ, ସେ ଏହିସବୁରୁ ଉତ୍ତୀର୍ଣ୍ଣ ହେବ।

19 ଜ୍ଞାନବାନ ଲୋକ ପ୍ରତି ନଗରସ୍ଥ ଦଶ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ ଅଧିକ ବଳ ସ୍ୱରୂପ ଅଟେ। 20 ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।

21 ମଧ୍ୟ ଯେତେ କଥା କୁହାଯାଏ, ସେହି ସବୁରେ ମନୋଯୋଗ କର ନାହିଁ; କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ; 22 କାରଣ ତୁମ୍ଭ ମନ ଜାଣେ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେହିପରି ବାରମ୍ବାର ଅଭିଶାପ ଦେଇଅଛ।

23 ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, "ମୁଁ ଜ୍ଞାନୀ ହେବି," ମାତ୍ର ତାହା ମୋʼ ଠାରୁ ଦୂର ଥିଲା। 24 ଯାହା ଅଛି, ତାହା ଦୂରରେ ଅଛି ଓ ଅତି ଗଭୀର; ତାହା କିଏ ପାଇ ପାରେ? 25 ଜ୍ଞାନ ଓ ବିଷୟମାନର ତତ୍ତ୍ୱ ଜାଣିବାକୁ, ପୁଣି ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ଯେ ପାଗଳାମି, ଏହା ଜାଣିବାକୁ ମୁଁ ଫେରିଲି ଓ ମୋହର ମନ ତାହା ଅନୁସନ୍ଧାନ ଓ ଅନ୍ଵେଷଣ କରିବାକୁ ନିବିଷ୍ଟ ହେଲା। 26 ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ। 27 ଉପଦେଶକ କହନ୍ତି, ଦେଖ, ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି; 28 ମୋହର ପ୍ରାଣ ଆଜି ପର୍ଯ୍ୟନ୍ତ ଅଦ୍ୟାପି ଅନୁସନ୍ଧାନ କରୁଥାଏ, ମାତ୍ର ମୁଁ ତାହା ପାଇ ନାହିଁ; ସହସ୍ର ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି; ମାତ୍ର ସେହି ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇ ନାହିଁ। 29 ଦେଖ, ମୁଁ ଏତିକି ମାତ୍ର ପାଇଅଛି ଯେ, ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ; ମାତ୍ର ସେମାନେ ଅନେକ ଉଦ୍ଭାବନ ଅନ୍ଵେଷଣ କରିଅଛନ୍ତି।

Veja também

Publicidade
Eclesiastes
Ver todos os capítulos de Eclesiastes
Bíblia Online Bíblia Online

Bíblia Online • Versão: 2026-06-15_21-32-39-