ଈଶ୍ବରଦତ୍ତ ସମସ୍ତ ସଜ୍ଜା
10 ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। 11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। 12 କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; 13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। 14 ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର, 15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ; 16 ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର। 17 ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ, ଅର୍ଥାତ୍ ଈଶ୍ବରଙ୍କ ବାକ୍ୟ ଧାରଣ କର; 18 ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।