Publicidade

Êxodo 1

ମିସରରେ ଇସ୍ରାଏଲୀୟମାନଙ୍କୁ ନିର୍ଯ୍ୟାତନା

1 ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଦେଶକୁ ଆସିଲେ, ସେମାନଙ୍କ ନାମ; 2 ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା; 3 ଇଷାଖର, ସବୂଲୂନ ଓ ବିନ୍ୟାମୀନ୍; 4 ଦାନ୍ ଓ ନପ୍ତାଲି; ଗାଦ୍‍ ଓ ଆଶେର। 5 ସର୍ବସୁଦ୍ଧା ଯାକୁବଙ୍କଠାରୁ ଉତ୍ପନ୍ନ ବଂଶ ସତୁରି ପ୍ରାଣୀ ଥିଲେ; ମାତ୍ର ଯୋଷେଫ ପୂର୍ବେ ମିସରରେ ଥିଲେ।

6 ଏଥିଉତ୍ତାରେ ଯୋଷେଫ, ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ। 7 ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା।

8 ଏଥିଉତ୍ତାରେ ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ। 9 ସେ ଆପଣା ଲୋକମାନଙ୍କୁ କହିଲେ, "ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି। 10 ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି, ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ।"

11 ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ। 12 ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି, ସେତେ ଅଧିକ ବ୍ୟାପିଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍‍ବିଗ୍ନ ହେଲେ।

13 ତହିଁରେ ମିସରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ। 14 ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେଉଁ ସମସ୍ତ ଦାସ୍ୟକର୍ମ କରାଇଲେ; ସେହି ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ।

15 ଏଥିଉତ୍ତାରେ ମିସରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ, 16 "ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେସମୟରେ ଯଦି ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯଦି କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ।" 17 ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିସରୀୟ ରାଜାଙ୍କର ଆଜ୍ଞା ଅନୁସାରେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ।

18 ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, "ତୁମ୍ଭେମାନେ ଏପରି କାର୍ଯ୍ୟ କାହିଁକି କରୁଅଛ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ?" 19 ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, "ଏବ୍ରୀୟା ସ୍ତ୍ରୀଗଣ ମିସରୀୟା ସ୍ତ୍ରୀଗଣ ପରି ନୁହନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି।"

20 ପୁଣି, ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ। 21 ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ। 22 ଏଥିଉତ୍ତାରେ ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, "ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନୀଳ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ।"

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-