Publicidade

Êxodo 34

ଆଉ ଦୁଇଟି ପ୍ରସ୍ତର ଫଳକ

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ପୂର୍ବ ପରି ଦୁଇ ପ୍ରସ୍ତର ପଟା ଖୋଳ। ତୁମ୍ଭେ ଯେଉଁ ପ୍ରସ୍ତର ପଟା ଭାଙ୍ଗିଅଛ, ତହିଁ ଉପରେ ଯାହା ଯାହା ଲେଖାଥିଲା, ସେହି ସବୁ କଥା ଆମ୍ଭେ ଏହି ଦୁଇ ପ୍ରସ୍ତରରେ ଲେଖିବା। 2 ଆଉ ତୁମ୍ଭେ ପ୍ରାତଃକାଳରେ ପ୍ରସ୍ତୁତ ହୁଅ ଓ ପ୍ରାତଃକାଳରେ ସୀନୟ ପର୍ବତ ଆରୋହଣ କରି ସେଠାରେ ପର୍ବତ ଶୃଙ୍ଗରେ ଆମ୍ଭ ନିକଟରେ ଉପସ୍ଥିତ ହୁଅ। 3 ମାତ୍ର ତୁମ୍ଭ ସଙ୍ଗେ ଆଉ କେହି ଉପରକୁ ଆସିବେ ନାହିଁ, ପୁଣି, ଏହି ସମୁଦାୟ ପର୍ବତରେ କେହି ଦେଖା ନ ଯିବେ ଓ ଗୋମେଷାଦି ପଲ ମଧ୍ୟ ଏହି ପର୍ବତ ସମ୍ମୁଖରେ ଚରିବେ ନାହିଁ।" 4 ତହୁଁ ମୋଶା ପ୍ରଥମ ପ୍ରସ୍ତର ପରି ଦୁଇ ପ୍ରସ୍ତର ପଟା ଖୋଳିଲେ; ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରଭାତରେ ଉଠି ସୀନୟ ପର୍ବତ ଉପରକୁ ଗଲେ ଓ ସେହି ଦୁଇ ପ୍ରସ୍ତର ପଟା ହସ୍ତରେ ନେଲେ। 5 ତେବେ ସଦାପ୍ରଭୁ ମେଘରେ ଅବରୋହଣ କରି ସେ ସ୍ଥାନରେ ତାଙ୍କ ସହିତ ଠିଆ ହୋଇ "ସଦାପ୍ରଭୁଙ୍କ" ନାମ ଘୋଷଣା କଲେ। 6 ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, "ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; 7 ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞାଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ରପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା।" 8 ତହୁଁ ମୋଶା ଶୀଘ୍ର ଭୂମିରେ ନତ ମସ୍ତକ ହୋଇ ପ୍ରଣାମ କରି କହିଲେ, 9 "ପ୍ରଭୋ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି, ପ୍ରଭୁ ଆମ୍ଭମାନଙ୍କ ମଧ୍ୟବର୍ତ୍ତୀ ହୋଇ ଗମନ କରନ୍ତୁ; କାରଣ ଏମାନେ ଶକ୍ତଗ୍ରୀବ ଲୋକ, ଆଉ ଆମ୍ଭମାନଙ୍କ ଅପରାଧ ଓ ପାପ ମୋଚନ କରି ଆପଣା ଅଧିକାରାର୍ଥେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତୁ।"

ନିୟମର ନବୀକରଣ

10 ତେବେ ସେ କହିଲେ, "ଦେଖ, ମୁଁ ଗୋଟିଏ ନିୟମ କରିବି; ସମସ୍ତ ପୃଥିବୀରେ ଅବା କୌଣସି ଗୋଷ୍ଠୀ ମଧ୍ୟରେ ଯାହା କେବେ କରାଯାଇ ନାହିଁ, ଏପରି ଆଶ୍ଚର୍ଯ୍ୟକର୍ମ ଆମ୍ଭେ ତୁମ୍ଭର ସମସ୍ତ ଲୋକଙ୍କ ସାକ୍ଷାତରେ କରିବା; ତହିଁରେ ଯେଉଁସବୁ ଲୋକଙ୍କ ମଧ୍ୟରେ ତୁମ୍ଭେ ଅଛ, ସେମାନେ ସଦାପ୍ରଭୁଙ୍କର ସେହି କର୍ମ ଦେଖିବେ, କାରଣ ଆମ୍ଭେ ତୁମ୍ଭ ନିକଟରେ ଯାହା କରିବା, ତାହା ଭୟଙ୍କର ଅଟେ। 11 ଆଜି ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁ, ତହିଁରେ ମନୋଯୋଗ କର; ଦେଖ, ଆମ୍ଭେ ଇମୋରୀୟ, କିଣାନୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେବା। 12 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ଦେଶକୁ ତୁମ୍ଭେ ଯାଉଅଛ, ସେହି ଦେଶର ନିବାସୀମାନଙ୍କ ସହିତ ନିୟମ କର ନାହିଁ; କାଳେ ତାହା ତୁମ୍ଭମାନଙ୍କ ମଧ୍ୟରେ ଗୋଟିଏ ଫାନ୍ଦ ସ୍ୱରୂପ ହେବ। 13 ମାତ୍ର ତୁମ୍ଭେମାନେ ସେମାନଙ୍କ ବେଦିସବୁ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି କାଟି ପକାଇବ। 14 ଯେହେତୁ ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ନାମ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ, ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି। 15 କେଜାଣି ଅବା ତୁମ୍ଭେ ସେହି ଦେଶ ନିବାସୀ ଲୋକମାନଙ୍କ ସହିତ ନିୟମ କରିବ; କଲେ ଯେଉଁ ସମୟରେ ସେମାନେ ନିଜେ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କରନ୍ତି ଓ ନିଜ ଦେବଗଣ ନିକଟରେ ବଳିଦାନ କରନ୍ତି, ସେସମୟରେ କେହି ତୁମ୍ଭକୁ ଡାକିଲେ, ତୁମ୍ଭେ ତାହାର ବଳିଦ୍ରବ୍ୟ ଖାଇବ; 16 କିଅବା ତୁମ୍ଭେ ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କନ୍ୟାଗଣକୁ ଗ୍ରହଣ କଲେ, ସେମାନଙ୍କ କନ୍ୟାଗଣ ନିଜ ଦେବଗଣର ଅନୁଗାମିନୀ ହୋଇ ତୁମ୍ଭ ପୁତ୍ରଗଣକୁ ଆପଣାମାନଙ୍କ ଦେବଗଣର ଅନୁଗାମୀ କରି ବ୍ୟଭିଚାର କରାଇବେ।

17 ତୁମ୍ଭେ ଆପଣା ନିମନ୍ତେ ଛାଞ୍ଚରେ ଢଳା କୌଣସି ଦେବତା କର ନାହିଁ।

18 ତୁମ୍ଭେ ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ, ପୁଣି, ଆବୀବ୍‍ ମାସର ଯେଉଁ ସମୟରେ ଯେରୂପ କରିବାକୁ ତୁମ୍ଭକୁ ଆଜ୍ଞା ଦେଇଅଛୁ, ସେହିରୂପେ ତୁମ୍ଭେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଖାଇବ; କାରଣ ସେହି ଆବୀବ୍‍ ମାସରେ ତୁମ୍ଭେ ମିସର ଦେଶରୁ ବାହାର ହୋଇ ଆସିଥିଲ। 19 ଆଉ ସମସ୍ତ ପ୍ରଥମଜାତ ଗର୍ଭଫଳ ଓ ଗୋମେଷାଦି ପଲ ମଧ୍ୟରୁ ପ୍ରଥମଜାତ ପୁଂପଶୁ ସକଳ ଆମ୍ଭର। 20 ମାତ୍ର ପ୍ରଥମଜାତ ଗର୍ଦ୍ଦଭ ପରିବର୍ତ୍ତରେ ତୁମ୍ଭେ ମେଷଶାବକ ଦେଇ ତାକୁ ମୁକ୍ତ କରିବ; ଯଦି ମୁକ୍ତ ନ କରିବ, ତେବେ ତାʼର ବେକ ଭାଙ୍ଗିବ। ତୁମ୍ଭର ପ୍ରଥମଜାତ ପୁତ୍ର ସକଳକୁ ତୁମ୍ଭେ ମୁକ୍ତ କରିବ। ଆଉ, କେହି ଶୂନ୍ୟ ହସ୍ତରେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବ ନାହିଁ। 21 ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।

22 ତୁମ୍ଭେ ସପ୍ତାହର ଉତ୍ସବ, ଅର୍ଥାତ୍‍, କଟା ଗହମର ପ୍ରଥମ ଫଳର ଉତ୍ସବ ଓ ବର୍ଷର ଶେଷ ଭାଗରେ ଫଳ ସଂଗ୍ରହର ଉତ୍ସବ କରିବ। 23 ତୁମ୍ଭମାନଙ୍କର ସମସ୍ତ ପୁରୁଷ ବର୍ଷ ମଧ୍ୟରେ ତିନି ଥର ଇସ୍ରାଏଲର ପ୍ରଭୁ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବେ। 24 କାରଣ ଆମ୍ଭେ ତୁମ୍ଭ ସମ୍ମୁଖରୁ ଅନ୍ୟ ଦେଶୀୟ ଲୋକମାନଙ୍କୁ ଦୂର କରିବା ଓ ତୁମ୍ଭର ସୀମା ବିସ୍ତାର କରିବା, ପୁଣି, ତୁମ୍ଭେ ବର୍ଷ ମଧ୍ୟରେ ତିନି ଥର ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବା ନିମନ୍ତେ ଗମନ କଲେ, ତୁମ୍ଭ ଭୂମି ପ୍ରତି କେହି ଲୋଭ କରିବ ନାହିଁ।

25 ତୁମ୍ଭେ ଆମ୍ଭ ବଳିର ରକ୍ତ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଉତ୍ସର୍ଗ କରିବ ନାହିଁ ଓ ନିସ୍ତାରପର୍ବୀୟ ଉତ୍ସବର ବଳିଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ। 26 ତୁମ୍ଭେ ଆପଣା ଭୂମିର ପ୍ରଥମଜାତ ଫଳର ଅଗ୍ରିମାଂଶ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ପୁଣି, ତୁମ୍ଭେ ଛାଗର ଶାବକକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।"

27 ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ଏହିସବୁ ବାକ୍ୟ ଲେଖ, କାରଣ ଆମ୍ଭେ ଏହି ବାକ୍ୟାନୁସାରେ ତୁମ୍ଭ ସହିତ ଓ ଇସ୍ରାଏଲ ସହିତ ନିୟମ ସ୍ଥିର କରିଅଛୁ।" 28 ସେହି ସମୟରେ ମୋଶା ସଦାପ୍ରଭୁଙ୍କ ସହିତ ସେହି ସ୍ଥାନରେ ଚାଳିଶ ଦିବାରାତ୍ର ଅବସ୍ଥାନ କଲେ; ସେ ଅନ୍ନ ଭୋଜନ କି ଜଳ ପାନ କଲେ ନାହିଁ। ସେ ସେହି ଦୁଇ ପ୍ରସ୍ତରରେ ନିୟମ-ବାକ୍ୟ, ଅର୍ଥାତ୍‍, ଦଶ ଆଜ୍ଞା ଲେଖିଲେ।

ମୋଶାଙ୍କ ଉଜ୍ଜ୍ୱଳ ମୁଖ

29 ଏଥିଉତ୍ତାରେ ମୋଶା ସୀନୟ ପର୍ବତରୁ ଓହ୍ଲାଇବା ସମୟରେ ସାକ୍ଷ୍ୟରୂପ ଦୁଇ ଖଣ୍ଡ ପ୍ରସ୍ତର ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ, ମାତ୍ର ସଦାପ୍ରଭୁଙ୍କ ସହିତ ଆଳାପ କରିବା ସକାଶୁ ଆପଣା ମୁଖର ଚର୍ମ ଯେ ଉଜ୍ଜ୍ୱଳ ହୋଇଥିଲା, ତାହା ମୋଶା ଜାଣି ନ ଥିଲେ। 30 ପୁଣି, ଯେତେବେଳେ ହାରୋଣ ଓ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ ଦେଖିଲେ, ସେତେବେଳେ ତାଙ୍କର ମୁଖର ଚର୍ମ ଉଜ୍ଜ୍ୱଳ ଥିଲା; ଏଣୁ ସେମାନେ ତାଙ୍କ ନିକଟକୁ ଯିବା ପାଇଁ ଭୀତ ହେଲେ। 31 ମାତ୍ର ମୋଶା ସେମାନଙ୍କୁ ଡାକନ୍ତେ, ହାରୋଣ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ତାଙ୍କ ନିକଟକୁ ଫେରିଗଲେ; ତହିଁରେ ମୋଶା ସେମାନଙ୍କ ସହିତ ଆଳାପ କଲେ। 32 ତହିଁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ନିକଟକୁ ଗଲେ; ତହିଁରେ ସଦାପ୍ରଭୁ ସୀନୟ ପର୍ବତରେ ତାଙ୍କୁ ଯେଉଁ ଯେଉଁ କଥା କହିଥିଲେ, ତାହାସବୁ ସେ ଆଜ୍ଞା ରୂପେ ସେମାନଙ୍କୁ ଜଣାଇଲେ। 33 ଆଉ, ମୋଶା ସେମାନଙ୍କ ସହିତ କଥୋପକଥନ ସମାପନ କଲା ଉତ୍ତାରେ ଆପଣା ମୁଖରେ ଘୁମୁଟା ଦେଲେ। 34 ମାତ୍ର ମୋଶା ସଦାପ୍ରଭୁଙ୍କ ସହିତ କଥା କହିବା ପାଇଁ ଭିତରେ ତାହାଙ୍କ ସାକ୍ଷାତକୁ ଯାଇ ବାହାରକୁ ନ ଆସିବା ପର୍ଯ୍ୟନ୍ତ ସେହି ଘୁମୁଟା କାଢ଼ି ରଖିଲେ; ଆଉ ଯେଉଁ ଆଜ୍ଞା ପାଇଲେ, ବାହାରେ ଆସି ଇସ୍ରାଏଲ-ସନ୍ତାନଗଣକୁ ତାହା କହିଲେ। 35 ତହିଁରେ ମୋଶାଙ୍କର ମୁଖର ଚର୍ମ ଉଜ୍ଜ୍ୱଳ ଅଟେ, ଏହା ଇସ୍ରାଏଲ-ସନ୍ତାନଗଣ ତାଙ୍କର ମୁଖ ପ୍ରତି ଅନାଇ ଦେଖିଲେ; ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ଯେପର୍ଯ୍ୟନ୍ତ ଭିତରକୁ ନ ଗଲେ; ସେପର୍ଯ୍ୟନ୍ତ ଆପଣା ମୁଖରେ ଘୁମୁଟା ଦେଲେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-