ମୋଶାଙ୍କ ଜନ୍ମ
1 ଏଥିଉତ୍ତାରେ ଲେବୀ ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବୀ ବଂଶରୁ ଜାତ ଏକ କନ୍ୟାକୁ ବିବାହ କଲା। 2 ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା; ପୁଣି, ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନି ମାସ ଯାଏ ଗୋପନରେ ରଖିଲା।
3 ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନୀଳ ନଦୀତୀରସ୍ଥ ନଳବନରେ ରଖିଲା। 4 ପୁଣି, ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା।
5 ଏଥିଉତ୍ତାରେ ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକୁ ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକୁ ପଠାଇଲା। 6 ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକଟି କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, "ଏଇଟି ଜଣେ ଏବ୍ରୀୟ ବାଳକ।"
7 ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, "ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକୁ ଡାକି ଆଣିବି?" 8 ତହିଁରେ ଫାରୋଙ୍କର କନ୍ୟା କହିଲା, "ଯାଅ," ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା।
9 ତେବେ ଫାରୋଙ୍କର କନ୍ୟା ତାହାଙ୍କୁ କହିଲା, "ତୁମ୍ଭେ ଏ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବେତନ ଦେବି," ତହିଁରେ ସେହି ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା। 10 ଏଥିଉତ୍ତାରେ ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା2:10 ଆକର୍ଷିତ କିଅବା ବାହାରକୁ ନେବା ଦେଲା; "କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି।"