18 ସେତେବେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ; ପୁଣି, ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ। 19 ଆଉ ସେମାନେ ମୋଶାଙ୍କୁ କହିଲେ, "ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ, ଆମ୍ଭେମାନେ ଶୁଣିବୁ; ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କହନ୍ତୁ, ନୋହିଲେ ଆମ୍ଭେମାନେ ମରିଯିବୁ।" 20 ତହିଁରେ ମୋଶା ଲୋକମାନଙ୍କୁ କହିଲେ, "ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ୱର ଆସିଅଛନ୍ତି।" 21 ତେଣୁ ଲୋକମାନେ ଦୂରରେ ଠିଆ ହୋଇ ରହିଲେ; ମାତ୍ର ଯେଉଁଠାରେ ପରମେଶ୍ୱର ଥିଲେ, ମୋଶା ସେହି ଘୋର ଅନ୍ଧକାର ନିକଟକୁ ଗମନ କଲେ।
ଯଜ୍ଞବେଦି ସମ୍ବନ୍ଧରେ ନିୟମ
22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ‘ଆମ୍ଭେ ଆକାଶରେ ଥାଇ ତୁମ୍ଭମାନଙ୍କ ସହିତ କଥା କହିଲୁ, ଏହା ତୁମ୍ଭେମାନେ ନିଜେ ଦେଖିଅଛ। 23 ଏହେତୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ, ଅନ୍ୟ ଦେବତାଗଣ ନିର୍ମାଣ କରିବ ନାହିଁ; ଆପଣାମାନଙ୍କ ନିମନ୍ତେ ରୌପ୍ୟମୟ ଦେବତା ଓ ସ୍ୱର୍ଣ୍ଣମୟ ଦେବତା ନିର୍ମାଣ କରିବ ନାହିଁ। 24 ତୁମ୍ଭେ ଆମ୍ଭ ନିମନ୍ତେ ଏକ ମୃତ୍ତିକାର ବେଦି ନିର୍ମାଣ କରିବ, ପୁଣି, ତହିଁ ଉପରେ ତୁମ୍ଭର ଗୋମେଷାଦି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ; ଆମ୍ଭେ ଯେଉଁ ପ୍ରତ୍ୟେକ ସ୍ଥାନରେ ଆପଣା ନାମ ସ୍ମରଣ କରାଇବା, ସେହି ପ୍ରତ୍ୟେକ ସ୍ଥାନରେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ଆଶୀର୍ବାଦ କରିବା। 25 ଯଦି ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବେଦି ନିର୍ମାଣ କରିବ, ତେବେ ଖୋଦିତ ପ୍ରସ୍ତରରେ ତାହା ନିର୍ମାଣ କରିବ ନାହିଁ; କାରଣ ତହିଁ ଉପରେ ତୁମ୍ଭେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର କରିବ। 26 ଆଉ ତୁମ୍ଭର ଉଲଙ୍ଗତା ଆମ୍ଭ ବେଦି ଉପରେ ଯେପରି ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାହାଚ ଦେଇ ଆମ୍ଭ ବେଦି ଉପରକୁ ଯିବ ନାହିଁ।’"