10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ। 11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ; ପୁଣି, ତହିଁର ଭିତର ଓ ବାହାର ହିଁ ମଡ଼ାଇବ, ପୁଣି, ତହିଁ ଉପର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ। 12 ପୁଣି, ତହିଁ ନିମନ୍ତେ ସ୍ୱର୍ଣ୍ଣର ଚାରି କଡ଼ା ଛାଞ୍ଚରେ ଢାଳି ତହିଁର ଚାରି କୋଣରେ ଦେବ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ରହିବ। 13 ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ସାଙ୍ଗୀ କରି ସ୍ୱର୍ଣ୍ଣରେ ମଡ଼ାଇବ। 14 ପୁଣି, ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ। 15 ସେହି ସାଙ୍ଗୀ ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ। 16 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକରେ ରଖିବ।
17 ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। 18 ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟାକର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ। 19 ଏକ କିରୂବ ଏକ ମୁଣ୍ଡରେ ଓ ଅନ୍ୟ କିରୂବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ; ଦୁଇ କିରୂବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ। 20 ପୁଣି, କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ। 21 ତୁମ୍ଭେ ସେହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ।