ଲାଜାରଙ୍କ ମୃତ୍ୟୁ
1 ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରୀୟମ ଓ ତାହାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ। 2 ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରୀୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ। 3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି। 4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, "ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।" 5 ଯୀଶୁ, ମାର୍ଥା ଏବଂ ତାହାଙ୍କ ଭଉଣୀ ଏବଂ ଲାଜାରଙ୍କୁ ସ୍ନେହ କରୁଥିଲେ। 6 ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ। 7 ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, "ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦିୟା ପ୍ରଦେଶକୁ ଯିବା।" 8 ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀ ଲୋକମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି? 9 ଯୀଶୁ ଉତ୍ତର ଦେଲେ, "ଦିନରେ କଅଣ ବାର ଘଣ୍ଟା ନାହିଁ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ; 10 କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ।" 11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, "ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।" 12 ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ। 13 ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ। 14 ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ, "ଲାଜାର ମରିଯାଇଅଛନ୍ତି;