ଯୀଶୁଙ୍କ ପାଣି ଉପରେ ଚାଲିବା
22 ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ। 23 ଲୋକସମୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ। 24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା।
25 କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, 26 ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ। 27 କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ "ସାହସ ଧର ଏ ତ ମୁଁ, ଭୟ କର ନାହିଁ।"
28 ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। 29 ସେ କହିଲେ, "ଆସ।" ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ। 30 ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ।
31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, "ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ?" 32 ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା। 33 ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ବରଙ୍କ ପୁତ୍ର।