ଦଶ କନ୍ୟାଙ୍କ ଦୃଷ୍ଟାନ୍ତ
1 "ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ। 2 ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ। 3 ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, 4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ। 5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ। 6 କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାର’, ଏପରି କୋଳାହଳ ହେଲା। 7 ସେତେବେଳେ କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ। 8 କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତୈଳରୁ ଆମକୁ ଅଳ୍ପ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି। 9 ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ଯଦି ଆମେ ତୁମକୁ ଅଳ୍ପ ଦେବୁ, ତେବେ ତୁମଠାରେ ଓ ଆମଠାରେ ମଧ୍ୟ ଅଣ୍ଟିବ ନାହିଁ, ବରଂ ତୁମେ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ। 10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା। 11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ। 12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ। 13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ।"