ଜିସୁ ସାତ୍ଟା ସିସ୍ମନ୍କେ ଦେକାଇ ଅଇଲା
1 ତାର୍ ପଚେ ଜିସୁ ନିଜେ ଆରି ତରେକ୍ ସିସ୍ମନ୍କେ ତିବିରିଆର୍ ଗାଡ୍ପାଲି ଦେକାଇଅଇଲା । ସେଟା ଏନ୍ତି ଅଇଲା । 2 ଜିସୁର୍ କେତେଟା ସିସ୍ମନ୍ ଗଟେକ୍ ତେଇ ରୁଣ୍ଡିରଇଲାଇ । ସେମନ୍ ଅଇଲାଇନି, ସିମନ୍ ପିତର୍, ବିଦୁମ୍ ବଲି ଡାକ୍ବା ତମା ନାଉଁର୍ ସିସ୍, ଗାଲିଲି ଦେସର୍ କାନା ଗଡେ ରଇଲା ନିତନିଏଲ୍, ଜେବଦିର୍ ଦୁଇଟା ପିଲା ଜାକୁବ୍, ଜଅନ୍ ଆରି ବିନ୍ ଦୁଇଟା ସିସ୍ମନ୍ । 3 ୨୧:୩ ଲୁକ୍ ୫:୫ସିମନ୍ ପିତର୍ ସେମନ୍କେ "ମୁଇ ମାଚ୍ ଦାର୍ବାର୍ ଗାଲିନି ।" ବଲି କଇଲା । ସେମନ୍ ମିସା "ତର୍ ସଙ୍ଗ୍ ଆଇବୁ ।" ବଲି କଇଲାଇ । ଆରି ଡଙ୍ଗାଇ ଚଗି, ସେମନ୍ ଗୁଲାଇ ରାତି ଜାଲ୍ ମାର୍ଲାଇ, ମାତର୍ ମୁଲ୍କେ ଦାରତ୍ନାଇ । 4 ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲେ ଜିସୁ ଗାଡ୍କଣ୍ଡି ଟିଆଅଇରଇଲା । ମାତର୍ ସିସ୍ମନ୍ ତାକେ ଜିସୁ ବଲି ଚିନି ନାପାର୍ଲାଇ । 5 ଜିସୁ ସେମନ୍କେ ପାଚାର୍ଲା, "ଏ ମଇତର୍ମନ୍ ତମେ ଜଡେକ୍ ମିସା ମାଚ୍ ଦାରାସ୍ ନାଇ କି ?" ସେମନ୍ "ମୁଲ୍କେ ଦାରୁ ନାଇ ।" ବଲି କଇଲାଇ । 6 ୨୧:୬ ଲୁକ୍ ୫:୬ଜିସୁ ସେମନ୍କେ କଇଲା, "ଡଙ୍ଗାର୍ ଉଜାବାଟେ ଜାଲ୍ ମାରା, ତମେ ମାଚ୍ଦାର୍ସା ଆଲେ ।" ସେ କଇଲା ପାରା ଜାଲ୍ ପାକାଇଲାଇ ଜେ, ଏତର୍ ତାକର୍ ଜାଲେ ଏତେକ୍ ମାଚ୍ ଲାଗ୍ଲାଇଜେ, ସେମନ୍ ଜାଲ୍ ଜିକି ନାପାର୍ଲାଇ । 7 ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ସିସ୍ ପିତର୍କେ କଇଲା, "ଏଦେ ଦେକା ! ଏଟା ନିଜେ ଆମର୍ ମାପ୍ରୁ ସେ !" ପିତର୍ ଏଟା ମାପ୍ରୁ ଆକା ବଲି କଇଲାଟା ସୁନିକରି ବେଟି ସଙ୍ଗଇଲା ବସ୍ତର୍ ପିନ୍ଦି ଗାଡେ ଡେଗଇଦେଲା । କାଇକେ ବଇଲେ ସେ ମାଚ୍ ଦାର୍ବାବେଲେ, ଉପ୍ରେ ପିନ୍ଦ୍ଲା ବସ୍ତର୍ ବେଟି ସଙ୍ଗଇ ରଇଲା । 8 ଆରି ବାକି ସିସ୍ମନ୍ ମାଚ୍ ବର୍ତି ରଇଲା ଜାଲ୍ ଜିକିଜିକି ଡଙ୍ଗା କଣ୍ଡିତେଇ ଆନି ଲାଗାଇଲାଇ । ସେମନ୍ କଣ୍ଡିଅନି ଦୁଇସ ଆତ୍ ଦୁରିକେସେ ରଇଲାଇ । 9 ସିସ୍ମନ୍ ଡଙ୍ଗାଇଅନି ଉତ୍ରିକରି ପଦାଇ କେଟ୍ଲାବେଲେ, ଜଇରଇଲା ଇଙ୍ଗ୍ରା ଉପ୍ରେ କେତେଟା ବାଜିଅଇଲା ମାଚ୍ ଆରି ରୁଟି ସଙ୍ଗଇଅଇ ରଇଲାଟା ଦେକ୍ଲାଇ । 10 ତାର୍ ପଚେ ଜିସୁ "ତମେ ଏବେ ଦାର୍ଲା କେତେଟା ମାଚ୍ ଆନା ।" ବଲି କଇଲା ।
11 ସେଟାର୍ ପାଇ ସିମନ୍ ପିତର୍ ଜାଇ ମାଚ୍ ବର୍ତି ରଇଲା ଜାଲ୍ ପଦାପାଲିକେ ଜିକି ଆନ୍ଲା । ସେ ଜାଲେ ସଏ ପଚାସ୍ ତିନ୍ଟା ବଡ୍ବଡ୍ ମାଚ୍ ଲାଗି ରଇଲାଇ । ମାଚ୍ମନର୍ ଲାଗି ବେସି ବଜ୍ ରଇଲା ମିସା, ଜାଲ୍ ଚିଡେନାଇ ।