ପୁରୁବ୍ ଦେସର୍ ପଣ୍ଡିତ୍ମନ୍ ଆଇବାଟା
1 ଏରଦ୍ ରାଜାର୍ ସାସନ୍ ବେଲେ, ଜିଉଦା ରାଇଜର୍ ବେତ୍ଲିଇମେ ଜିସୁ ଜନମ୍ ଅଇଲା । ଜନମ୍ ଅଇ ଚନେକ୍ ଜିବାକେ ପୁରୁବ୍ ଦେସର୍ କେତେଟା ତାରାର୍ ବିସଇ ପଡ୍ତେ ରଇବା ପଣ୍ଡିତ୍ମନ୍ ଜିରୁସାଲାମେ ଆସି ପାଚାର୍ଲାଇ, 2 "ଜନ୍ ପିଲା ଜିଉଦିମନର୍ ରାଜା ଅଇବାକେ ଜନମ୍ ଅଇଲାଆଚେ, ସେ କନ୍ତି ଆଚେ ? କାଇକେବଇଲେ ଆମେ ପୁରୁବ୍ ଦେସେ ତାର୍ ତାରା ଦେକି ତାକେ ପୁଜା କର୍ବାର୍ ଆସିଆଚୁ ।"
3 ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ । 4 ଆରି ଏରଦ୍ ସବୁ ମୁକିଅ ପୁଜାରିମନ୍କେ ଆରି ସାସ୍ତର୍ ସିକାଉମନ୍କେ ଡାକାଇ କରି, "ମସିଅ ଜେ କି କିରିସ୍ଟ କନ୍ ଜାଗାଇ ଜନମ୍ ଅଇଆଚେ ?" ସେଟା ସେମନର୍ତେଇ ଅନି ବୁଜ୍ବାକେ ଚେସ୍ଟା କଲା ।
5 ପଣ୍ଡିତ୍ମନ୍ ଏରଦ୍ ରାଜାକେ କଇଲାଇ, ଜିଉଦା ରାଇଜର୍ ବେତ୍ଲିଇମ୍ ଗଡେ, ଜନ୍ଟାକି ଗଟେକ୍ ବବିସତ୍ବକ୍ତା ଏନ୍ତାରି ଲେକିଆଚେ । 6 ଏ ଜିଉଦା ଦେସର୍ ବେତ୍ଲିଇମ୍,
ତୁଇ ଜିଉଦା ରାଇଜର୍ ମୁକିଅ ଗଡ୍ମନର୍ତେଇ ଅନି ସାନ୍ ନଉଁସ୍,
କାଇକେବଇଲେ ମର୍ ଇସ୍ରାଏଲର୍ ଲକ୍ମନ୍କେ ବାଟ୍ ଦେକାଇସି,
ଏନ୍ତାରି ଗଟେକ୍ ସାସନ୍କାରିଆ ତର୍ତେଇଅନି ଉବଜ୍ସି ।
7 ଏଟା ସୁନି କରି ଏରଦ୍ ରାଜା ସେ ପଣ୍ଡିତ୍ମନ୍କେ ଲୁଚ୍ତେ ଡାକାଇ, ତାରା କନ୍ ବେଲାଇ ଉଦିରଇଲା, ସେମନର୍ତେଇ ଅନି ଟିକ୍ ସଙ୍ଗ୍ ବୁଜିନେଲା । 8 ତାର୍ପଚେ ସେମନ୍କେ କଇ ପାଟାଇଲା, "ତମେ ଜାଆ ଆରି ବେତ୍ଲିଇମେ ସେ ପିଲାକେ ନିମାନ୍ କରି କଜିଦେକା, ଆରି ପିଲା ମିଲ୍ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍ସନ୍ କର୍ବି ।"
9 ପଣ୍ଡିତ୍ମନ୍ ରାଜାର୍ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା ! ସେମନ୍ ପୁରୁବ୍ ଦେସେ ଜନ୍ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍ ଡିସ୍ଲା । 10 ସେମନ୍ ତାରା ଦେକି ବେସି ସାର୍ଦା ଅଇଗାଲାଇ । ତାରା ସେମନର୍ ଆଗେ ଜାଇକରି ଜିସୁ ରଇଲା ଜାଗାର୍ ଉପ୍ରେ ଅଟ୍କିଗାଲା । 11 ପଣ୍ଡିତ୍ମନ୍ ସେ ଗର୍ ବିତ୍ରେ ପୁରି ପିଲାକେ ତାର୍ ମା ମରିୟମ୍ ସଙ୍ଗ୍ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍ରସ୍ ବେଟି, ପିଲାକେ ଦେଲାଇ ।
12 ପଚେ ସେମନ୍ ଏରଦର୍ ଲଗେ ଆରିତରେକ୍ ନ ଜାଇକରି ବିନ୍ ବାଟେ ନିଜର୍ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍ ଟାନେ ଆରିତରେକ୍ ବାଉଡି ନ ଜିବାକେ ପର୍ମେସର୍ ସେମନ୍କେ ସପ୍ନେ ଆଦେସ୍ ଦେଇରଇଲା ।