8 ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆୟୁବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆୟୁବ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବ; କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମ୍ଭମାନଙ୍କ ମୂର୍ଖତା ପ୍ରମାଣେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ; ଯେହେତୁ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।" 9 ତହିଁରେ ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ଯାଇ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ଗ୍ରାହ୍ୟ କଲେ।
ଆୟୁବଙ୍କୁ ପରମେଶ୍ୱରଙ୍କ ପୁନଃସ୍ଥାପନ
10 ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ।