Publicidade

Jó 40

1 ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ,

2 "ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ?

ଯେ ପରମେଶ୍ୱରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ।"

ଆୟୁବଙ୍କ ନିରବତାର ପ୍ରତିଜ୍ଞା

3 ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,

4 "ଦେଖ, ମୁଁ ଅକିଞ୍ଚନା; ତୁମ୍ଭକୁ କି ଉତ୍ତର ଦେବି?

ମୁଁ ନିଜ ମୁଖରେ ଆପଣା ହାତ ଦିଏ।

5 ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ;

ହଁ, ଦୁଇ ଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ।"

ଆୟୁବଙ୍କୁ ପରମେଶ୍ୱରଙ୍କ ଆହ୍ୱାନ

6 ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ,

7 "ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ;

ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ।

8 ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ?

ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ?

9 ଅବା ତୁମ୍ଭର ବାହୁ କି ପରମେଶ୍ୱରଙ୍କ ବାହୁ ତୁଲ୍ୟ?

ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର?

10 ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ୱରେ ବିଭୂଷିତ ହୁଅ;

ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର।

11 ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ

ଓ ପ୍ରତ୍ୟେକ ଅହଙ୍କାରୀକୁ ଅନାଇ ତାହାକୁ ନତ କର।

12 ପ୍ରତ୍ୟେକ ଗର୍ବୀକୁ ଅନାଇ ତାହାକୁ ନତ କର;

ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ।

13 ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ;

ଗୁପ୍ତ ସ୍ଥାନରେ ସେମାନଙ୍କ ମୁଖ ବାନ୍ଧି ପକାଅ।

14 ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ,

ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ୱୀକାର କରିବା।

15 ବହେମୋତକୁ ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ;

ସେ ଗୋରୁ ପରି ତୃଣ ଖାଏ।

16 ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ

ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ।

17 ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ;

ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ।

18 ତାହାର ଅସ୍ଥିସବୁ ପିତ୍ତଳର ନଳ ପରି;

ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି।

19 ସେ ପରମେଶ୍ୱରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ;

ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ୍ଗ ତାହାକୁ ସ୍ପର୍ଶ କରିପାରେ।

20 ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି,

ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି।

21 ସେ ନଳବନ ଭିତରେ

ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ।

22 ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ;

ନଦୀର ବାଇଶୀ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ।

23 ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ;

ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ।

24 ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ?

ଅବା ରଜ୍ଜୁ ଦ୍ୱାରା ତାହାର ନାସିକା ଫୋଡ଼ିବ?

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-19_11-20-24-