Publicidade

Jó 32

ଆୟୁବର ବାକ୍ୟ ସମାପ୍ତ। ତିନି ବନ୍ଧୁଙ୍କୁ ଇଲୀହୂଙ୍କ ଅନୁଯୋଗ

1 ଏହିରୂପେ ଆୟୁବ ନିଜ ଦୃଷ୍ଟିରେ ଧାର୍ମିକ ହେବାରୁ ଏହି ତିନି ଜଣ ଉତ୍ତର ଦେବାରୁ କ୍ଷାନ୍ତ ହେଲେ। 2 ତହିଁରେ ରାମ୍‍ ଗୋଷ୍ଠୀଜାତ ବୂଷୀୟ ବାରଖେଲର ପୁତ୍ର ଇଲୀହୂର କ୍ରୋଧ ପ୍ରଜ୍ୱଳିତ ହେଲା; ଆୟୁବ ବିରୁଦ୍ଧରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା। 3 ମଧ୍ୟ ତାହାର ତିନି ବନ୍ଧୁଙ୍କ ପ୍ରତିକୂଳରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେମାନେ କୌଣସି ଉତ୍ତର ଦେଇ ନ ପାରିଲେ ହେଁ ଆୟୁବକୁ ଦୋଷୀ କରିଥିଲେ। 4 ସେମାନେ ଇଲୀହୂଠାରୁ ପ୍ରାଚୀନ ଥିବାରୁ ଇଲୀହୂ ଆୟୁବକୁ କଥା କହିବା ପାଇଁ ଅପେକ୍ଷା କରିଥିଲା। 5 ପୁଣି, ସେ ସେହି ତିନି ଜଣଙ୍କ ମୁଖରେ କୌଣସି ଉତ୍ତର ନ ଥିବାର ଦେଖି ତାହାର କ୍ରୋଧ ପ୍ରଜ୍ୱଳିତ ହେଲା। 6 ଏଥିଉତ୍ତାରେ ବୂଷୀୟ ବାରଖେଲର ପୁତ୍ର ଇଲୀହୂ ଉତ୍ତର କରି କହିଲା,

"ମୁଁ ଯୁବା ଲୋକ, ଆଉ ତୁମ୍ଭେମାନେ ଅତି ବୃଦ୍ଧ;

ଏଣୁ ମୁଁ କ୍ଷାନ୍ତ ହେଲି ଓ ତୁମ୍ଭମାନଙ୍କ ନିକଟରେ ଆପଣା ମତ ପ୍ରକାଶ କରିବାକୁ ସାହସ କଲି ନାହିଁ।

7 ମୁଁ କହିଲି, ‘ଦିନସମୂହ କଥା କହିବେ

ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ।’

8 ମାତ୍ର ମନୁଷ୍ୟ ମଧ୍ୟରେ ଗୋଟିଏ ଆତ୍ମା ଅଛି

ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିଶ୍ୱାସ ସେମାନଙ୍କୁ ବୁଦ୍ଧି ଦିଏ।

9 ବଡ଼ ଲୋକେ ଯେ ଜ୍ଞାନବାନ, ତାହା ନୁହେଁ,

ଅବା ପ୍ରାଚୀନମାନେ ଯେ ବିଚାର ବୁଝନ୍ତି, ତାହା ନୁହେଁ।

10 ଏଥିପାଇଁ ମୁଁ କହିଲି, ‘ମୋʼ କଥା ଶୁଣ;

ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି।’

11 ଦେଖ, ମୁଁ ତୁମ୍ଭମାନଙ୍କ କଥା ପାଇଁ ଅପେକ୍ଷା କଲି,

କଅଣ କହିବାକୁ ହେବ, ଏହା ତୁମ୍ଭେମାନେ ଅନୁସନ୍ଧାନ କରିବା ପର୍ଯ୍ୟନ୍ତ

ତୁମ୍ଭମାନଙ୍କ ଯୁକ୍ତି ପାଇଁ ମନୋଯୋଗ କଲି।

12 ଆହୁରି, ମୁଁ ତୁମ୍ଭମାନଙ୍କ କଥାରେ ମନ ଦେଲି,

ପୁଣି ଦେଖ, ଆୟୁବକୁ ବୋଧ ଦେବାକୁ,

ଅବା ତାହାର କଥାର ଉତ୍ତର ଦେବାକୁ ତୁମ୍ଭମାନଙ୍କ ମଧ୍ୟରେ କେହି ନ ଥିଲା।

13 ସାବଧାନ, କେଜାଣି ତୁମ୍ଭେମାନେ କହିବ, ଆମ୍ଭେମାନେ ଜ୍ଞାନ ପାଇଅଛୁ;

ପରମେଶ୍ୱର ତାହାକୁ ପରାସ୍ତ କରି ପାରିବେ, ମନୁଷ୍ୟ ନୁହେଁ;

14 କାରଣ ସେ ମୋʼ ବିରୁଦ୍ଧରେ କଥା କହି ନାହିଁ,

କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ।

15 ସେମାନେ ବିସ୍ମିତ ଅଛନ୍ତି, ସେମାନେ ଆଉ ଉତ୍ତର ଦିଅନ୍ତି ନାହିଁ,

ସେମାନଙ୍କର କୌଣସି କଥା କହିବାକୁ ନାହିଁ।

16 ସେମାନେ କଥା କହନ୍ତି ନାହିଁ, ସେମାନେ ତୁନି ହୋଇ ଠିଆ ହୁଅନ୍ତି, ଆଉ ଉତ୍ତର ଦିଅନ୍ତି ନାହିଁ ବୋଲି କି

ମୁଁ ଅପେକ୍ଷା କରିବି?

17 ମୁଁ ମଧ୍ୟ ଆପଣାର ଉତ୍ତର ଦେବି,

ମୁଁ ଆପଣାର ମତ ପ୍ରକାଶ କରିବି।

18 କାରଣ ମୁଁ ବାକ୍ୟରେ ପରିପୂର୍ଣ୍ଣ।

ମୋହର ଅନ୍ତରସ୍ଥ ଆତ୍ମା ମୋତେ ପ୍ରବର୍ତ୍ତାଏ।

19 ଦେଖ, ମୋʼ ଉଦର ବନ୍ଦ ଦ୍ରାକ୍ଷାରସ ତୁଲ୍ୟ;

ନୂତନ କୁମ୍ପା ପରି ତାହା ଫାଟିବାକୁ ଉଦ୍ୟତ।

20 ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି;

ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି।

21 ବିନୟ କରୁଅଛି, ମୋତେ କୌଣସି ଲୋକର ମୁଖାପେକ୍ଷା କରିବାକୁ ଦିଅ ନାହିଁ;

କିଅବା ମୁଁ କୌଣସି ଲୋକର ଚାଟୁବାଦ କରିବି ନାହିଁ।

22 କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ;

କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-18_14-04-22-