Publicidade

Jó 13

ଆୟୁବ - ତଥାପି ଈଶ୍ୱରଙ୍କଠାରେ ମୋହର ଭରସା

1 ଦେଖ, ମୋହର ଚକ୍ଷୁ ଏହିସବୁ ଦେଖିଅଛି,

ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି।

2 ଯାହା ତୁମ୍ଭେମାନେ ଜାଣ, ତାହା ମୁଁ ଜାଣେ;

ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ।

3 ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ

ଓ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ।

4 ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ,

ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ।

5 ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ!

ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା।

6 ଏବେ ମୋହର ଯୁକ୍ତି ଶୁଣ

ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର।

7 ତୁମ୍ଭେମାନେ କʼଣ ପରମେଶ୍ୱରଙ୍କ ପକ୍ଷରେ ଅନ୍ୟାୟ କଥା କହିବ

ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା-ବାକ୍ୟ କହିବ?

8 ତୁମ୍ଭେମାନେ କʼଣ ତାହାଙ୍କର ମୁଖାପେକ୍ଷା କରିବ,

ତୁମ୍ଭେମାନେ କʼଣ ପରମେଶ୍ୱରଙ୍କ ପକ୍ଷରେ ବିରୋଧ କରିବ?

9 ସେ ଯେ ତୁମ୍ଭମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ?

କିଅବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମ୍ଭେମାନେ କʼଣ ତାହାଙ୍କୁ ଭୁଲାଇବ?

10 ତୁମ୍ଭେମାନେ ଗୋପନରେ ମୁଖାପେକ୍ଷା କଲେ,

ସେ ଅବଶ୍ୟ ତୁମ୍ଭମାନଙ୍କୁ ଅନୁଯୋଗ କରିବେ।

11 ତାହାଙ୍କର ମହତ୍ତ୍ୱ କʼଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ

ଓ ତାହାଙ୍କର ଭୟଙ୍କରତା କʼଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ?

12 ତୁମ୍ଭମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ,

ତୁମ୍ଭମାନଙ୍କର ଦୁର୍ଗସବୁ କର୍ଦ୍ଦମର ଦୁର୍ଗ ଅଟେ।

13 ତୁମ୍ଭେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି,

ତହିଁରେ ମୋହର ଯାହା ହେବ, ହେଉ।

14 ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି

ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି?

15 ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି;

ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି।

16 ଏହା ହିଁ ମୋହର ମୁକ୍ତି ସ୍ୱରୂପ ହେବ;

କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ।

17 ମନୋଯୋଗ କରି ମୋହର କଥା ଶୁଣ

ଓ ମୋହର ନିବେଦନ ତୁମ୍ଭମାନଙ୍କର କର୍ଣ୍ଣଗୋଚରରେ ଥାଉ।

18 ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି;

ମୁଁ ଜାଣେ, ମୁଁ ନିର୍ଦ୍ଦୋଷ ହେବି।

19 ମୋʼ ସଙ୍ଗେ ଯେ ବିବାଦ କରିବ, ସେ କିଏ?

କାରଣ (କେହି ଥିଲେ) ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି।

20 କେବଳ ଦୁଇ କଥା ମୋʼ ପ୍ରତି କର ନାହିଁ,

ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ।

21 ତୁମ୍ଭ ହସ୍ତ ମୋʼ ଠାରୁ ଦୂରକୁ କାଢ଼ି ନିଅ

ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ।

22 ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି;

ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ।

23 ମୋହର ଅପରାଧ ଓ ପାପ କେତେ?

ମୋହର ଅଧର୍ମ ଓ ପାପ ମୋତେ ଜଣାଅ।

24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ?

ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ?

25 ତୁମ୍ଭେ କʼଣ ଉଡ଼ନ୍ତା ପତ୍ରକୁ ଡରାଇବ?

ଓ ତୁମ୍ଭେ କʼଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ?

26 କାରଣ ତୁମ୍ଭେ ମୋʼ ବିରୁଦ୍ଧରେ ତିକ୍ତ କଥା ଲେଖୁଅଛ

ଓ ମୋʼ ଯୌବନ କାଳର ଅପରାଧ ଭୋଗ କରାଉଅଛ;

27 ତୁମ୍ଭେ ଯନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ

ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ;

ତୁମ୍ଭେ ମୋʼ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ;

28 ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ

ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-19_11-20-24-