ଜିସୁ ଡାକ୍ପୁଟାଅଇ ଜିରୁସାଲାମ୍ କେଟ୍ଲା
1 ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇକରି ଜିତ୍ ନାଉଁର୍ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତ୍ନିଆ ନାଉଁର୍ ଗାଏଁ କେଟ୍ଲାଇ । ଜିସୁ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକିକରି ସେମନ୍କେ କଇଲା, 2 ତମେ ଆମର୍ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍ରେ ଜିବାବେଲେ, ଗଟେକ୍ ଗଦ ପିଲା ବାନ୍ଦିରଇଲାଟା ଦେକ୍ସା । ସେ ଗଦ ପିଲାର୍ ଉପ୍ରେ ଏବେଜାକ କେ ମିସା ଚଗତ୍ ନାଇ । ତାକେ ମେଲିକରି ମର୍ଲଗେ ଦାରିଆସା । 3 ଜଦି କେ ତମ୍କେ କାଇକେ ମେଲିକରି ନେଲାସ୍ନି ? ବଲି ପାଚାର୍ଲେ, ମାପ୍ରୁକେ ଦର୍କାର୍ ଆଚେ ଆରି ସେ ତମ୍କେ ଦାପ୍ରେସେ ବାଉଡାଇଦେଇସି । ବଲି ସେମନ୍ ଜିବା ଆଗ୍ତୁ ସେମନ୍କେ ପାଟାଇଦେଲା ।
4 ସେ ଗାଏଁ ଗାଲାଇ ଜେ ଗଟେକ୍ ଗରର୍ ଡାଣ୍ଡର୍ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍ଲାଇ । 5 ତେଇ ଟିଆଅଇରଇଲା କେତେଲକ୍ମନ୍ କଇଲାଇ, "ତମେ କାଇଟା କଲାସ୍ନି ? ଆରି କାଇକେ ଏ ଗଦ ପିଲାକେ ମେଲ୍ଲାସ୍ନି ?"
6 ସେମନ୍କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍ମନ୍ ଲକ୍ମନ୍କେ କଇଲାଇ । ତାର୍ପଚେ ସେ ଲକ୍ମନ୍ "ଗଦ ପିଲାକେ ନିଆ ।" ବଲି କଇଲାଇ ।
7 ସେମନ୍ ଗଦ ପିଲାକେ ଜିସୁର୍ ଲଗେ ଆନ୍ଲାଇ ଆରି ନିଜର୍ ନିଜର୍ ପଚିଆମନ୍ ଗଦ ପିଲାର୍ ପିଟି ଉପ୍ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍ରେ ବସ୍ଲା । 8 ବେସି ଲକ୍ମନ୍ ଜିସୁକେ ସନ୍ମାନ୍ ଦେବାକେ ନିଜର୍ ନିଜର୍ ପଚିଆମନ୍ ବାଟେ ଅଚାଇଦେଲାଇ ଆରି ବିନ୍ଲକ୍ମନ୍ ଗଚର୍ ଡାଲ୍ପତର୍ ଆରି କେନ୍ଦାମନ୍ କାଟିଆନିକରି ବାଟେ ଅଚାଇଦେଲାଇ । 9 ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜିବା ଲକ୍ମନ୍ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, "ଅସାନା, ପର୍ମେସର୍କେ ଡାକ୍ପୁଟା କରା । ପର୍ମେସର୍ ତାକେ ଆସିର୍ବାଦ୍ କଲାଆଚେ । 10 ଆମର୍ ଆନିଦାଦି ଦାଉଦ୍ ରାଜାର୍ ରାଇଜ୍ ଆଇଲାନି, ତାର୍ ରାଇଜ୍ ପର୍ମେସର୍ ଆସିର୍ବାଦ୍ କର । ସର୍ଗେ ରଇବା ବାବା ପର୍ମେସର୍ ସନ୍ମାନ୍ ପାଇଲାପାରା କାତା କୁଆ" ବଲି କଇଲାଇ ।
11 ତାର୍ପଚେ ଜିସୁ ଜିରୁସାଲାମ୍ ଆସିକରି ପର୍ମେସରର୍ ଗର୍ ବିତ୍ରେ ପୁର୍ଲା । ଆରି ଚାରିବେଡ୍ତି ରଇଲା ସବୁ ଜିନିସ୍ମନ୍ ନିମାନ୍ କରି ଦେକ୍ଲା । ସେ ବେଲା ବେସି ଅଲ୍ସମ୍ ଅଇଗାଲାଜେ, ସେ ବାର୍ଟା ସିସ୍ମନର୍ ସଙ୍ଗ୍ ବେତ୍ନିଆ ନାଉଁର୍ ଗାଏଁ ଉଟିଜାଇକରି ତେଇ ରଇଲା ।