ଭାବି ରାଜା
1 ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ଅନ୍ଧକାର ହୋଇ ରହିବ ନାହିଁ।
ପୂର୍ବକାଳରେ ସେ ସବୂଲୂନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ,
ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ।
2 ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହା ଆଲୁଅ ଦେଖିଅଛନ୍ତି;
ଯେଉଁମାନେ ମୃତ୍ୟୁୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି।
3 ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ;
ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି,
ଲୁଟିତ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି,
4 କାରଣ ମିଦୀୟନର ଦିନରେ ଯେପରି, ସେହିପରି ତୁମ୍ଭେ ତାହାର ଭାର ସ୍ୱରୂପ ଯୁଆଳି ଓ ତାହାର ସ୍କନ୍ଧସ୍ଥିତ ବାହୁଙ୍ଗି,
ତାହାର ଉପଦ୍ରବକାରୀର ଦଣ୍ଡ ଭାଙ୍ଗି ପକାଇଅଛ।
5 ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର
ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ,
ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ।
6 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି
ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ;
ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ,
ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା,
ଶାନ୍ତିରାଜା ହେବ।