ଆୟୁବଙ୍କୁ ପରମେଶ୍ୱରଙ୍କ ପୁନଃସ୍ଥାପନ
10 ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ। 11 ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ; ଆଉ, ସଦାପ୍ରଭୁ ତାହା ଉପରେ ଯେସବୁ ବିପଦ ଘଟାଇଥିଲେ, ତହିଁ ସକାଶୁ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ; ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସୀତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ। 12 ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ। 13 ମଧ୍ୟ ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଲେ। 14 ପୁଣି, ସେ ପ୍ରଥମ କନ୍ୟାର ନାମ ଯିମୀମା ଓ ଦ୍ୱିତୀୟାର ନାମ କତ୍ସୀୟା ଓ ତୃତୀୟାର ନାମ କେରଣ-ହପ୍ପୁକ୍ ଦେଲା। 15 ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା। 16 ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା। 17 ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।