20 ଏଥିଉତ୍ତାରେ ପରମେଶ୍ୱର କହିଲେ, "ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ।" 21 ଆଉ ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ।
22 ପୁଣି, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, "ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ।" 23 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା।
24 ଏଥିଉତ୍ତାରେ ପରମେଶ୍ୱର କହିଲେ, "ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟ ପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହେଉନ୍ତୁ," ତହିଁରେ ସେପରି ହେଲା।