Publicidade

Gênesis 8

ଜଳପ୍ଳାବନର ଅବସାନ

1 ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ୱାଦି ସମସ୍ତ ପ୍ରାଣୀଙ୍କୁ ସ୍ମରଣ କରି ପୃଥିବୀରେ ବାୟୁ ବୁହାଇଲେ, ତହୁଁ ଜଳ ଥମିଲା; 2 ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାରସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା। 3 ତହିଁରେ ପୃଥିବୀରୁ ଜଳ ବହିଯାଇ ଏକ ଶହ ପଚାଶ ଦିନର ଶେଷରେ ହ୍ରାସ ହେଲା।

4 ଏଥିଉତ୍ତାରେ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍‍ ପର୍ବତ ଉପରେ ଜାହାଜ ଲାଗି ରହିଲା। 5 ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।

6 ଏଥିଉତ୍ତାରେ ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟିଏ ଡାମରା କାଉକୁ ଉଡ଼ାଇ ଦେଲେ; 7 ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା।

8 ପୁନଶ୍ଚ, ନୋହ ଭୂମିରେ ଜଳର ହ୍ରାସ ବୁଝିବା ପାଇଁ ଗୋଟିଏ କାପ୍ତା ଉଡ଼ାଇ ଦେଲେ; 9 ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ।

10 ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ; 11 ତହିଁରେ କାପ୍ତା ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା; ଆଉ ଦେଖ, ତାହାର ଚଞ୍ଚୁରେ ଜୀତବୃକ୍ଷର ନବୀନ ପଲ୍ଲବ ଥିଲା; ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି, ଏହା ନୋହ ଜାଣିଲେ। 12 ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ।

13 (ନୋହଙ୍କ ବୟସର) ଛଅ ଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକୁ ଶୁଷ୍କ ଦେଖିଲେ। 14 ଏହିରୂପେ ଦ୍ୱିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା।

15 ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ କହିଲେ, 16 "ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇଯାଅ। 17 ପୁଣି, ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନିଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି, ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ।"

18 ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ; 19 ପୁଣି, ସ୍ୱ ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ।

ନୋହଙ୍କ ହୋମବଳି ଉତ୍ସର୍ଗ

20 ଏଥିଉତ୍ତାରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ। 21 ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, "ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ। 22 ପୁଣି, ଯେପର୍ଯ୍ୟନ୍ତ ପୃଥିବୀ ଥିବ, ସେପର୍ଯ୍ୟନ୍ତ ବୁଣାକଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି, ଗ୍ରୀଷ୍ମ ଓ ଶୀତକାଳ, ଆଉ ଦିବସ ଓ ରାତ୍ରି, ଏହିସବୁର ନିବୃତ୍ତି ହେବ ନାହିଁ।"

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-