Publicidade

Gênesis 4

1 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍‍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, "ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।" 2 ଏଥିଉତ୍ତାରେ ସେ ହେବଲ (ଅର୍ଥାତ୍‍ ଅସ୍ଥାୟୀ) ନାମକ ତାହାର ସହୋଦରକୁ ପ୍ରସବ କଲେ। ଏଥର ହେବଲ ମେଷପାଳକ ଓ କୟିନ କୃଷକ ହେଲେ।

3 ସମୟାନୁକ୍ରମେ କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। 4 ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। 5 ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ।

6 ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, "ତୁମ୍ଭେ କାହିଁକି କ୍ରୋଧ କରୁଅଛ? ଆଉ କାହିଁକି ଦୁଃଖିତ ହେଉଅଛ? 7 ସତ୍କର୍ମ କଲେ, କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।"

8 ଏଥିଉତ୍ତାରେ କୟିନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବା ବେଳେ କୟିନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ।

9 ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, "ତୁମ୍ଭ ଭାଇ ହେବଲ କେଉଁଠାରେ?" ସେ କହିଲେ, "ମୁଁ ଜାଣେ ନାହିଁ, ମୁଁ କʼଣ ମୋʼ ଭାଇର ରକ୍ଷକ?"

10 ସେ କହିଲେ, "ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି। 11 ଏଥିନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ; 12 ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।"

13 କୟିନ ସଦାପ୍ରଭୁଙ୍କୁ କହିଲେ, "ମୋହର ଦଣ୍ଡ ଅସହ୍ୟ। 14 ଦେଖ, ତୁମ୍ଭେ ଆଜି ମୋତେ ଏ ସ୍ଥାନରୁ ତଡ଼ି ଦେଲ, ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି; ଏହିରୂପେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲେ ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।" 15 ଆଉ ସଦାପ୍ରଭୁ ତାଙ୍କୁ କହିଲେ, "ଏହେତୁ କେହି କୟିନଙ୍କୁ ବଧ କଲେ, ତାହାର ସାତ ଗୁଣ ଦଣ୍ଡ ହେବ।" ପୁଣି, କେହି ତାଙ୍କୁ ଦେଖି ଯେପରି ବଧ ନ କରଇ, ଏଥିପାଇଁ ସଦାପ୍ରଭୁ କୟିନଙ୍କ ନିମନ୍ତେ ଏକ ଚିହ୍ନ ନିରୂପଣ କଲେ।

16 ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ।

କୟିନଙ୍କର ବଂଶଧର

17 ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି, ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ।

18 ସେହି ହନୋକର ପୁତ୍ର ଈରଦ ଓ ଈରଦର ପୁତ୍ର ମହୁୟାୟେଲ ଓ ମହୁୟାୟେଲର ପୁତ୍ର ମଥୁଶାୟେଲ ଓ ମଥୁଶାୟେଲର ପୁତ୍ର ଲେମକ। 19 ଏହି ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଏକର ନାମ ଆଦା ଓ ଅନ୍ୟର ନାମ ସିଲ୍ଲା ଥିଲା।

20 ଆଦାର ଗର୍ଭରେ ଜାବଳ ଜନ୍ମିଲା, ସେ ତମ୍ବୁନିବାସୀ ପଶୁପାଳକମାନଙ୍କର ଆଦିପୁରୁଷ ଥିଲା। 21 ତାହାର ଭାଇର ନାମ ଯୁବଳ, ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। 22 ସିଲ୍ଲାର ଗର୍ଭରେ ତୁବଲ୍‍-କୟିନ ଜନ୍ମିଲା, ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା; ତୁବଲ୍‍-କୟିନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା।

23 ଏଥିଉତ୍ତାରେ ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ,

"ଆଗୋ ଆଦା ଓ ସିଲ୍ଲା, ମୋʼ କଥା ଶୁଣ;

ଆଗୋ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋʼ ବାକ୍ୟରେ କର୍ଣ୍ଣପାତ କର;

ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ

ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି;

24 ଯଦି କୟିନର ବଧର ପ୍ରତିଫଳ ସାତ ଗୁଣ ହୁଏ,

ତେବେ ଲେମକର ପ୍ରତିଫଳ ସତସ୍ତରି ଗୁଣ ନିଶ୍ଚୟ ହେବ।"

ଶେଥ ଓ ଈନୋଶ

25 ଏଥିଉତ୍ତାରେ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାଙ୍କର ସହବାସ କରନ୍ତେ, ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ଶେଥ (ଅର୍ଥାତ୍‍ ପ୍ରତିନିଧି) ଦେଲେ; ଯେହେତୁ ସେ କହିଲେ, "ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି, କାରଣ କୟିନ ତାକୁ ବଧ କରିଥିଲା।" 26 ତହୁଁ ଶେଥର ମଧ୍ୟ ଏକ ପୁତ୍ର ଜନ୍ମିଲା; ଆଉ ସେ ତାହାର ନାମ ଈନୋଶ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-