Publicidade

Gênesis 22

ଇସ୍‌ହାକଙ୍କ ଉତ୍ସର୍ଗ

1 ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, "ହେ ଅବ୍ରହାମ।" ତହିଁରେ ସେ ଉତ୍ତର କଲେ, "ଦେଖନ୍ତୁ, ମୁଁ ଏଠାରେ ଅଛି।" 2 ସେତେବେଳେ ସେ କହିଲେ, "ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‌ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।" 3 ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇ ଜଣ ଦାସ ଓ ଆପଣା ପୁତ୍ର ଇସ୍‌ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ।

4 ଏଥିଉତ୍ତାରେ ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। 5 ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, "ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।" 6 ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‌ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ।

7 ଆଉ ଇସ୍‌ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, "ହେ ମୋହର ପିତଃ।" ତହିଁରେ ସେ ଉତ୍ତର କଲେ, "ପୁତ୍ର, ଦେଖ, ମୁଁ ଏଠାରେ।" ସେତେବେଳେ ସେ ପଚାରିଲା, "ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ?" 8 ତହିଁରେ ଅବ୍ରହାମ କହିଲେ, "ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।" ତହୁଁ ଦୁହେଁ ଏକତ୍ର ଚାଲିଗଲେ।

9 ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‌ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। 10 ଏଥିଉତ୍ତାରେ ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ।

11 ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, "ହେ ଅବ୍ରହାମ, ହେ ଅବ୍ରହାମ!" ତହିଁରେ ସେ କହିଲେ, "ଦେଖନ୍ତୁ, ମୁଁ ଏଠାରେ।" 12 ତହିଁରେ ସେ କହିଲେ, "ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।"

13 ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। 14 ପୁଣି, ଅବ୍ରହାମ ସେହି ସ୍ଥାନର ନାମ "ଯିହୋବାଃ-ଯିରି" ରଖିଲେ। ଏଥିପାଇଁ ଆଜି ପର୍ଯ୍ୟନ୍ତ ଲୋକେ କହନ୍ତି, "ପର୍ବତରେ ସଦାପ୍ରଭୁ ଯୋଗାଇବେ।"

15 ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ, 16 "ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ; 17 ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ। 18 ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।" 19 ଏଥିଉତ୍ତାରେ ଅବ୍ରହାମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ; ଆଉ ସେମାନେ ଉଠି ଏକତ୍ର ବେର୍‍ଶେବାକୁ ଗଲେ ଓ ଅବ୍ରହାମ ବେର୍‍ଶେବାରେ ବାସ କଲେ।

20 ସେହି ଘଟଣା ଉତ୍ତାରେ ଅବ୍ରହାମଙ୍କୁ ଏହି ସମ୍ବାଦ ଦିଆଗଲା, "ଶୁଣ, ମିଲ୍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନସନ୍ତତି ପ୍ରସବ କରିଅଛି।" 21 ତାହାର ଜ୍ୟେଷ୍ଠ ପୁତ୍ର ଊଷ୍‍ ଓ ତାହାର ଭ୍ରାତା ବୂଷ୍‍ ଓ ଅରାମର ପିତା କମୂୟେଲ, 22 ପୁଣି, କେଷଦ୍‍ ଓ ହସୋ ଓ ପିଲଦଶ୍‍ ଓ ଯିଦ୍‍ଲଫ୍‍ ଓ ବଥୂୟେଲ।

23 ସେହି ବଥୂୟେଲର କନ୍ୟା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା। 24 ପୁଣି, ନାହୋରର ରୂମା ନାମ୍ନୀ ଉପପତ୍ନୀଠାରୁ ଟେବହ, ଗହମ୍‍, ତହଶ୍‍ ଓ ମାଖା, ଏମାନେ ଜାତ ହେଲେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-