Publicidade

Gênesis 9

ନୋହଙ୍କ ସହିତ ପରମେଶ୍ୱରଙ୍କ ଚୁକ୍ତି

1 ଏଥିଉତ୍ତାରେ ପରମେଶ୍ୱର ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ କରି କହିଲେ, "ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର। 2 ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଓ ଉରୋଗାମୀ ଜନ୍ତୁ ଓ ସମୁଦ୍ରର ମତ୍ସ୍ୟ, ସମସ୍ତେ ତୁମ୍ଭମାନଙ୍କଠାରୁ ଭୀତ ଓ ଶଙ୍କାଯୁକ୍ତ ହେବେ; ସେହି ସମସ୍ତ ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଟନ୍ତି। 3 ପ୍ରତ୍ୟେକ ଗମନଶୀଳ ପ୍ରାଣୀ ତୁମ୍ଭମାନଙ୍କର ଖାଦ୍ୟ ହେବ, ଆମ୍ଭେ ହରିତ୍‍ ଶାକ ପରି ଏହି ସମସ୍ତ ତୁମ୍ଭମାନଙ୍କୁ ଦେଲୁ। 4 ମାତ୍ର ତୁମ୍ଭେମାନେ ସପ୍ରାଣ (ଅର୍ଥାତ୍‍) ସରକ୍ତ ମାଂସ ଖାଇବ ନାହିଁ। 5 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା। 6 ଯେକେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ; ଯେହେତୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି। 7 ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ଆଉ ପୃଥିବୀକୁ ପରିପୂର୍ଣ୍ଣ କରି ବର୍ଦ୍ଧିଷ୍ଣୁ ହୁଅ।"

8 ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କର ସଙ୍ଗୀ ପୁତ୍ରମାନଙ୍କୁ କହିଲେ, 9 "ଦେଖ, ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ଭବିଷ୍ୟତ ବଂଶ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ଜୀବଜନ୍ତୁ ସହିତ, 10 ଅର୍ଥାତ୍‍, ଜାହାଜରୁ ବହିର୍ଗତ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପକ୍ଷୀ ପ୍ରଭୃତି ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରୁଅଛୁ। 11 ଆମ୍ଭେ ତୁମ୍ଭମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଳାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ; ପୁଣି, ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଳାବନ ହେବ ନାହିଁ।"

12 ପୁନଶ୍ଚ, ପରମେଶ୍ୱର କହିଲେ, "ଆମ୍ଭେ ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ଯେଉଁ ନିୟମ ସ୍ଥିର କଲୁ, ତହିଁର ଚିହ୍ନ ଏହି; 13 ଆମ୍ଭେ ମେଘରେ ଆପଣା ଧନୁ ସ୍ଥାପନ କରୁଅଛୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ। 14 ଯେତେବେଳେ ଆମ୍ଭେ ପୃଥିବୀ ଉପରେ ମେଘ ସଞ୍ଚାର କରିବା, ସେତେବେଳେ ସେହି ଧନୁ ମେଘରେ ଦେଖାଯିବ; 15 ତହିଁରେ ତୁମ୍ଭମାନଙ୍କ ସହିତ ଓ ମାଂସବିଶିଷ୍ଟ ସମୁଦାୟ ପ୍ରାଣୀ ସହିତ ଆମ୍ଭର ଯେଉଁ ନିୟମ ଅଛି, ତାହା ଆମ୍ଭର ସ୍ମରଣ ହେବ, ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଳାବନ ଆଉ ହେବ ନାହିଁ। 16 ପୁଣି, ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା, ତହିଁରେ ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ଆମ୍ଭେ ସ୍ମରଣ କରିବା।"

17 ପରମେଶ୍ୱର ନୋହଙ୍କୁ କହିଲେ, "ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ନିୟମ ସ୍ଥିର କରିଅଛୁ, ତହିଁର ଏହି ଚିହ୍ନ ହେବ।"

ନୋହ ଓ ତାଙ୍କ ପୁତ୍ରମାନେ

18 ନୋହଙ୍କର ଯେଉଁ ପୁତ୍ରମାନେ ଜାହାଜରୁ ବହିର୍ଗତ ହେଲେ, ସେମାନଙ୍କ ନାମ ଶେମ ଓ ହାମ ଓ ଯେଫତ୍‍; ହାମ କିଣାନର ପିତା। 19 ଏହି ତିନି ଜଣ ନୋହଙ୍କର ପୁତ୍ର; ଏମାନଙ୍କ ବଂଶସବୁ ପୃଥିବୀରେ ବ୍ୟାପ୍ତ ହେଲା।

20 ଏଥିଉତ୍ତାରେ ନୋହ କୃଷି କର୍ମରେ ପ୍ରବୃତ୍ତ ହୋଇ ଦ୍ରାକ୍ଷାକ୍ଷେତ୍ର କଲେ। 21 ତହିଁରେ ସେ ଦ୍ରାକ୍ଷାରସ ପାନ କରି ମତ୍ତ ହୋଇ ତମ୍ବୁ ମଧ୍ୟରେ ବିବସ୍ତ୍ର ହୋଇ ପଡ଼ିଲେ।

22 ଏପରି ସମୟରେ କିଣାନର ପିତା ହାମ ଆପଣା ପିତାଙ୍କର ଉଲଙ୍ଗତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଚାର ଦେଲା। 23 ସେତେବେଳେ ଶେମ ଓ ଯେଫତ୍‍ ସ୍କନ୍ଧରେ ବସ୍ତ୍ର ଘେନି ପଶ୍ଚାଦ୍‍ଗତି କରି ଆପଣାମାନଙ୍କ ପିତାଙ୍କର ଉଲଙ୍ଗତା ଆଚ୍ଛାଦନ କଲେ; ସେମାନେ ପଛଆଡ଼କୁ ମୁଖ ରଖି ଯିବାରୁ ପିତାଙ୍କର ଉଲଙ୍ଗତା ଦେଖିଲେ ନାହିଁ।

24 ଏଉତ୍ତାରୁ ନୋହ ଦ୍ରାକ୍ଷାରସର ନିଦ୍ରାରୁ ଜାଗ୍ରତ ହୋଇ ଆପଣା ପ୍ରତି କନିଷ୍ଠ ପୁତ୍ରର ଆଚରଣ ଜ୍ଞାତ ହେଲେ। 25 ପୁଣି, ସେ କହିଲେ,

"କିଣାନ ଶାପଗ୍ରସ୍ତ ହେଉ;

ସେ ଆପଣା ଭ୍ରାତୃଗଣର ଦାସାନୁଦାସ ହେବ।"

26 ଆଉ ସେ କହିଲେ, "ଶେମର ପରମେଶ୍ୱର ସଦାପ୍ରଭୁ ଧନ୍ୟ ହେଉନ୍ତୁ;

କିଣାନ ଶେମର ଦାସ ହେଉ।

27 ପରମେଶ୍ୱର ଯେଫତ୍‍କୁ ବର୍ଦ୍ଧିଷ୍ଣୁ କରନ୍ତୁ;

ପୁଣି, ସେ ଶେମର ତମ୍ବୁରେ ବାସ କରୁ;

ଆଉ କିଣାନ ତାହାର ଦାସ ହେଉ।"

28 ଜଳପ୍ଳାବନ ଉତ୍ତାରେ ନୋହ ଆଉ ତିନି ଶହ ପଚାଶ ବର୍ଷ ବଞ୍ଚିଲେ। 29 ପୁଣି, ନୋହଙ୍କର ବୟସ ସର୍ବସୁଦ୍ଧା ନଅ ଶହ ପଚାଶ ବର୍ଷ ଥିଲା; ତହୁଁ ସେ ମଲେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-