Publicidade

Gênesis 3

ମନୁଷ୍ୟର ଆଜ୍ଞା ଲଂଘନ

1 ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, "ଆଗୋ, ଏ କି ସତ୍ୟ, ‘ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?’" 2 ନାରୀ ସର୍ପକୁ କହିଲେ, "ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ; 3 କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ‘ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ।’"

4 ସର୍ପ ନାରୀଙ୍କୁ କହିଲା, "ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ; 5 ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।" 6 ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି, ଆପଣା ସଙ୍ଗସ୍ଥ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।

7 ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ। 8 ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ।

9 ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, "ତୁମ୍ଭେ କେଉଁଠାରେ?" 10 ସେ ଉତ୍ତର କଲେ, "ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।" 11 ପରମେଶ୍ୱର କହିଲେ, "ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?"

12 ଆଦମ କହିଲେ, "ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।" 13 ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, "ଏ କି କଲ?" ନାରୀ କହିଲେ, "ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।"

ସଦାପ୍ରଭୁଙ୍କ ଦଣ୍ଡାଜ୍ଞା

14 ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, "ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। 15 ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।"

16 ତହୁଁ ସେ ନାରୀଙ୍କୁ କହିଲେ, "ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି, ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।"

17 ଆଉ ସେ ଆଦମଙ୍କୁ କହିଲେ, "ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ। 18 ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି, ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। 19 ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।"

20 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟାର ନାମ ହବା ଦେଲେ, ଯେହେତୁ ସେ ଜୀବିତ ଲୋକମାନଙ୍କର ମାତା ହେଲେ। 21 ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ।

ଆଦମ ଓ ହବା ଉଦ୍ୟାନରୁ ବିତାଡ଼ିତ

22 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, "ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ," 23 ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। 24 ଏହିରୂପେ ସେ ଆଦମଙ୍କୁ ତଡ଼ିଦେଲେ; ପୁଣି, ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୂବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ୍ଗ ସ୍ଥାପନ କଲେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-