ଅବ୍ରାମଙ୍କୁ ପରମେଶ୍ୱରଙ୍କ ଆହ୍ୱାନ
1 ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, "ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ। 2 ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ। 3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି, ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।"