41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, "ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।" 42 ମାତ୍ର, ଜ୍ୟେଷ୍ଠ ପୁତ୍ର ଏଷୌର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା; ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲା, "ଦେଖ, ତୁମ୍ଭର ଭ୍ରାତା ଏଷୌ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି। 43 ଏଥିପାଇଁ, ପୁତ୍ର, ମୋହର କଥା ଶୁଣ; ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ। 44 ପୁଣି, ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ କିଛି ଦିନ ସେଠାରେ ଥାଅ; 45 ଏଥିଉତ୍ତାରେ ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରିଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି; ଗୋଟିଏ ଦିନରେ ତୁମ୍ଭ ଦୁଇ ଜଣଙ୍କୁ କାହିଁକି ହରାଇବି?"
Publicidade