ଆଡଃମିସା ବାଇରୁହାଡ଼୍ କାମିରେ କାଜିକଟଙ୍ଗ୍
1 ଆଲେ ଯିହୁଦୀ ହଡ଼କଆଃ ପାଚ୍ରି ବାଇରୁହାଡ଼େ ତାନାଲେ ମେନ୍ତେ ସନ୍ବଲ୍ଲଟ୍ ଆୟୁମ୍କେଦ୍ଚି ଖିସ୍ୟାନାଏ ଓଡ଼ୋଃ ଆଲେକେ ଲାନ୍ଦାକେଦ୍ଲେୟା।
2 ଓଡ଼ୋଃ ଇନିଃ ଆୟାଃ ହାଗାକଆଃ ଓଡ଼ୋଃ ଶାମରିୟା ସିପାଇକଆଃ ଆୟାର୍ରେ କାଜିକେଦା, "ନେ ନାରାଦୁରା ଯିହୁଦୀ ହଡ଼କ ଚିନାଃ ଚିକାତାନାକ ? ଇନ୍କୁ ଚିନାଃ ପାଚ୍ରି ଆଡଃମିସା ବାଇରୁହାଡ଼୍ ଦାଡ଼ିୟାକ ? ଇନ୍କୁ ଚିନାଃ ଦାଣେଁରାକାବ୍ ଦାଡ଼ିୟାକ ? ଇନ୍କୁ ଚିନାଃ ମୁସିଙ୍ଗ୍ରେ କାମି ଚାବା ଦାଡ଼ିୟାକ ? ଇନ୍କୁ ଚିନାଃ ହାଦୁଡ଼ାକାନ୍ ଢିପୁଏତେ ଦିରି ଅଡଙ୍ଗ୍କେଦ୍ତେ ବାଇ ଦାଡ଼ିୟାକ ?"
3 ଇମ୍ତା ଅମ୍ମୋନିୟରେନ୍ ଟୋବିୟ ଇନିଃତାଃରେ ତାଇକେନା, ଓଡ଼ୋଃ ଇନିଃ କାଜିକେଦାଏ, "ଇନ୍କୁ ଅକ ଦିରିରାଃ ପାଚ୍ରି ବାଇତାନାକ, ଏନ୍ ଚେତାନ୍ରେ ମିଆଁଦ୍ ତୁୟୁ ରାକାବ୍କେନଃରେ ହାଦୁଡ଼୍କେନଃଆ।"
4 ଆଇଙ୍ଗ୍ ବିନ୍ତିକେଦାଇଙ୍ଗ୍, "ହେ ଆଲେୟାଃ ପାର୍ମେଶ୍ୱାର୍, ଆଲେୟାଃ ବିନ୍ତି ଆୟୁମେମେ, ଚିଆଃଚି ଆଲେକେ ଲାନ୍ଦାଲେତାନାକ। ଇନ୍କୁଆଃ ହିଁଣି ଆକଆଃ ବହଃରେଗି ଉୟୁଗଃକା। ଇନ୍କୁକେ ରେଃକ୍ ଓଡ଼ୋଃ ତଲ୍ ଇଦିକେଦ୍ତେ ଏଟାଃ ଦିଶୁମ୍ରେ ଜିମାକମ୍। 5 ଇନ୍କୁଆଃ ଗୁହ୍ନାଁ ଆଲମ୍ ଦାନାଙ୍ଗ୍ୟେଁଆ ଓଡ଼ୋଃ ପାପ୍ ତାକଆଃ ଆଲମ୍ ଛାମାକଆ, ଚିଆଃଚି ଇନ୍କୁ ପାଚ୍ରି ବାଇତାନ୍ ହଡ଼କକେ ଲାନ୍ଦାକତାନ୍ ହରାତେ ଆମ୍କେ ଖିସ୍ ଇଚିକାଦ୍ମାକ।"
6 ନେ’ଲେକାତେ ଆଲେ ପାଚ୍ରି ବାଇକେଦାଲେ ଓଡ଼ୋଃ ଏନାରେୟାଃ ସାଲାଙ୍ଗିରାଃ ଆଧା ଜାକେଦ୍ ଉଠାଅକେଦ୍ତେ ସବେନ୍ସାଃ ଜଡ଼େଇ ପୁରାୟାନା। ଚିଆଃଚି ହଡ଼କ ପୁରାଃ ଚିହୁଲ୍ତେ କାମି ତାଇକେନାକ।