ମନୁଷ୍ୟର ଦୁଷ୍ଟତା
1 ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ; 2 ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ6:2 ଏମାନେ ସ୍ବର୍ଗୀୟ ଲୋକମାନେ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ। 3 ତହିଁରେ ସଦାପ୍ରଭୁ କହିଲେ, "ଆମ୍ଭର ଆତ୍ମା ମନୁଷ୍ୟ ଉପରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, ଯେହେତୁ ସେମାନଙ୍କ ବିପଥଗମନରେ ସେମାନେ ମାଂସ ମାତ୍ର; ଏଥିନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।"
4 ସେହି ସମୟରେ ପୃଥିବୀରେ ମହାବୀରଗଣ ଥିଲେ; ପୁଣି, ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।
5 ଏଥିଉତ୍ତାରେ ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। 6 ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ସକାଶୁ ଅନୁତାପ କରି ମନରେ ଶୋକ କଲେ।
7 ତହିଁରେ ସଦାପ୍ରଭୁ କହିଲେ, "ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।" 8 ମାତ୍ର, ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଲେ।
ନୋହ ଓ ଜଳପ୍ଲାବନ
9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ।