10 ପାଉଲ ଇୟା ଦର୍ସନ୍ ପୟ୍ତିଦାପ୍ରେ ମାସିଦନିଆଦୁ ସନ୍ଡ୍ରେଙ୍ଗ୍ଁ ଇଜି ମାପ୍ ତିଆର୍ ଆତାପ୍, ଇରିଙ୍ଗ୍ଁ ମାପ୍ ସତେ ନେସ୍ତାପ୍, ମାପୁରୁ ଆବେଣି ଲୋକା ଲୋଇ ସୁସମାଚାର୍ ପ୍ରଚାର୍ କିଦେଙ୍ଗ୍ଁ ଇଜି ମାଙ୍ଗିଁ କୁକ୍ତାମାନାନ୍ ।
ପିଲିପିଦୁ ଲୁଦିଆ ମନ୍ ଡ଼େପ୍ତାତ୍
11 ମାପ୍ ଜାହାଜ୍ତାନ୍ ତ୍ରୋୟା ଡ଼ିସ୍ସି ସାମତ୍ରାଦୁ ସର୍ହାପ୍ ମାରି ମାରିନାଣ୍ତିଙ୍ଗ୍ଁ ନିଆପଲିଦୁ ଇତାପ୍ । 12 ଆବେଟ୍ଟାନ୍ ମାପ୍ ମାସିଦନିଆ ଜିଲାଦି ପେରି ଗାଡ଼୍ ପିଲିପିଦୁ ସର୍ହାପ୍ । ଇୟା ଗାଡ଼୍ ଉନ୍ଣ୍ତ୍ରି ରୋମିୟରି ବସ୍ତି ମାର୍ହାତ୍ । ମାପ୍ ଆବେନୁ ନାଣ୍ତ ଦିନ୍ ତେବାତାପ୍ । 13 ରମ୍ନି ଦିନ୍ ଗାଡ଼୍ ଆତ୍ରେ ମାନି ଗାଡା ପାଡ଼ି ସର୍ହାପ୍ । ମାପ୍ ଅଡ଼୍ବିତାପ୍, ଆବେ ଜିହୁଦିଲୋକୁ ଉଣ୍ତାଜି ପାର୍ତାନା କିଦେଙ୍ଗ୍ଁ ଇଜି ଉନ୍ଣ୍ତ୍ରି ବାଡି ତେବାନାତ୍ । ମାପ୍ ବାସ୍ତାପ୍ ମାରି ଆବେ ଉନ୍ଣ୍ତାତି ମାର୍ହି ଆଇମା ଲୋକା ୱାଲେ ୱାର୍ଗିତାପ୍ । 14 ତାମେ ଲୋଇ ତୁୟତିରା ଗାଡ଼୍ତି ସେର୍ଗା ରଙ୍ଗ୍ ୱାତିଗଦା ପର୍ଜି ମାନି ଲୁଦିଆ ଦର୍ତି ଅରେତ୍ ଆଇମା ମାର୍ହାତ୍ । ୱାଦ୍ ମାପୁରୁଦି ଉପାସନା କିଜିମାର୍ହାତ୍ ମାରି ପାଉଲ ଆମାକା ଇଜିମାର୍ଆନ୍, ଆକା ମନ୍ ସିଜି ୱେନ୍ଜି ମାନାଦେଙ୍ଗ୍ଁ ଇଜି ପ୍ରବୁ ତାନିଙ୍ଗ୍ଁ ସୁଜୋଗ ସିତାନ୍ । 15 ୱାଦ୍ ନି ତାନି ଇଲ୍ତି ୱିଜେରେ ଡୁବନ୍ ଅତି ୱେନ୍କା ମାଙ୍ଗିଁ ମାଡ଼ିସ୍ କିଜି ଇର୍ହାତ୍, "ପ୍ରବୁମାନୁ ସତ୍ତାନ୍ ନା ବିସ୍ବାସ୍ ମାନାତ୍ ଇଜି ଜଦି ମିର୍ ଅଡ଼ବିଜିନିଦେର୍, ଆର୍ତିଙ୍ଗ୍ଁ ୱାଜି ନା ଇଲ୍ତୁ ତେବାଦୁ ।" ୱାଦ୍ ଇୟାୱାଜା ତାନି ଇଲ୍ତୁ ସନ୍ଡ୍ରେଙ୍ଗ୍ଁ ଇଜି ମାଙ୍ଗିଁ ୱେର୍ତାତ୍ ।
ପିଲିପିଦି ଜଇଲ୍ତୁ ପାଉଲ ନି ସିଲା
16 ଅର୍ଲେନ୍ ମାପ୍ ପାର୍ତାନା ବାଡିଦୁ ସନିୱାଲେ ଅରେତ୍ ଦାସି ରିପାଦିଙ୍ଗ୍ଁ ବୁଡ଼ିତାପ୍ । ତାନି ଲୋଇ ମାନି ତାଗ୍ଇ ଆତ୍ମାଦି ସାକ୍ତିଦାନ୍ ୱାଦ୍ ବବିସତ୍ ମାଟା ଇନ୍ଡ୍ରେଙ୍ଗ୍ଁ ଆଟ୍ସି ମାର୍ହାତ୍ । ୱାଦ୍ ଲୋକା ବାଗ୍ୟ ଲେକିସ୍ କିଜି, ମାଲିକ୍କା ଉଣ୍ତିଙ୍ଗ୍ଁ ନାଣ୍ତ ଡାବୁଙ୍ଗୁଁ ଉଣ୍ତା କିଜିମାର୍ହାତ୍ । 17 ୱାଦ୍ ପାଉଲ ନି ମା ୱେନ୍କା ୱେନ୍କା ୱାଜି ଆଉଲି ଆଜି ଇର୍ହାତ୍, "ଇୟା ଲୋକୁ ୱିଜେରିଙ୍ଗ୍ଁ ପେରି ମାପୁରୁଦି ସେବାକିନିକାର୍ । ମିର୍ ଏଣ୍ତେସ୍ ପରିତ୍ରାଣ ପୟ୍ନିଦେର୍, ଇୟା ମାଟା ୱାର୍ ଇଜିନାର୍ !"