1 ଏନ୍ ତାୟମ୍ତେ ଆଇଙ୍ଗ୍ ରୁହାଡ଼୍କେଦ୍ତେ ସିଙ୍ଗି ଲାତାର୍ରେ ହବାଅଃତାନ୍ ସବେନ୍ ଏତ୍କାନ୍ କାମିକ ନେଲ୍କେଦା । ଓଡ଼ୋଃ ନେଲେପେ, ଏତ୍କାନ୍କାମି ରିକାତାନ୍ ହଡ଼କଆଃ ଚେତାନ୍ରେ ମେଦ୍ ଦାଆଃ ଲିଙ୍ଗିୟଃଆ ଓଡ଼ୋଃ ଇନ୍କୁକେ ଜୀଉରାଡ଼େଃ ଏମ୍ ନାଗେନ୍ତେ ଜେତାଏ ବାନ୍କଆ । ଓଡ଼ୋଃ ଇନ୍କୁକେ ସିଗିଦ୍ ଏମ୍ତାନ୍କଆଃ ଚେତାନ୍ରେ ପେଡ଼େଃ ମେନାଃ । ମେନ୍ଦ ସିଗିଦ୍ ଏମ୍ତାନ୍ ହଡ଼କଆଃ ଚେତାନ୍ରେ ଜୀଉରାଡ଼େଃ ଏମଃ ନାଗେନ୍ତେ ଜେତାଏ ବାଙ୍ଗାଇୟାଃ । 2 ଏନାମେନ୍ତେ ଆଇଙ୍ଗ୍, ଅକନ୍କ ନାହାଁ ଜୀନିଦ୍ ମେନାକଆ ଏନ୍ ହଡ଼କକେ ବାଗିକେଦ୍ତେ ସିଦାରେ ଗୟାକାନ୍ ହଡ଼କକେ ପୁରାଃ ମାଇନାନ୍ କେଦ୍କଆ । 3 ମେନ୍ଦ ଅକନ୍ ହଡ଼ ତିସିଙ୍ଗ୍ ଜାକେଦ୍ କା ଜାନାମ୍ ଓଡ଼ୋଃ ସିଙ୍ଗି ଲାତାର୍ରେ ଏତ୍କାନାଃ କାମିକ କା ନେଲାକାଦା, ଇନିଃକେ ଆଇଙ୍ଗ୍ ଏନ୍ ବାରାନ୍କିନାଃ ତାଃଏତେ ପୁରାଃ ବୁଗିନ୍ ମେନ୍ତେ ଆଟ୍କାର୍କିୟା ।
4 ଏନ୍ତେ ଆଇଙ୍ଗ୍ ସବେନ୍ କାମିତେୟାଃ ଓଡ଼ୋଃ ସବେନ୍ ମାପ୍ରାଙ୍ଗ୍ କାମିକ ନେଲ୍କେଦା ଯେ, ଏନ୍ ସବେନାଃ ନାଗେନ୍ତେ ହଡ଼ ଆପ୍ନାଃ ହପୋର୍ଜାପାଃରେନ୍ ନାଗେନ୍ତେ ଇନିଃ ହିସିଙ୍ଗା ଲେକାନିଃ ହୁଇନାଃ । ନେଆଁଗି ସାମାତାନାଃ ଓଡ଼ୋଃ ହୟକେ ସାବ୍ ଲେକାନ୍ କାଜିତାନାଃ । 5 ଡଣ୍ଡ ଆୟାଃ ତିଃଇକେ ମୁଠାକେଦ୍ତେ ଦହଏକା ଓଡ଼ୋଃ ଇନିଃ ସାମାଗି ମାସ୍ ଜଜମ୍ ନାଗେନ୍ତେ ସାନାଙ୍ଗ୍ ରିକାଏ । 6 କେଟେଦ୍ କାମିକେଦ୍ତେ ଓଡ଼ୋଃ ହୟକେ ଅତଙ୍ଗ୍ ବାଗିକେଦ୍ତେ, ସୁକୁତେ ମିଦ୍ମୁଠା ଜଜମ୍ତେୟାଃ ବୁଗିନ୍ ତାନାଃ ।
7 ଏନ୍ତେ ଆଇଙ୍ଗ୍ ରୁହାଡ଼୍କେଦ୍ତେ ସିଙ୍ଗି ଲାତାର୍ରେ ସାମା କାଜି ନେଲ୍କେଦା । 8 ଜେତାଏ ମିହୁଡ଼୍ ଏସ୍କାର୍ଗି ତାଇନାଃ, ଇନିୟାଃ ଓଡ଼ୋଃ ଜେତାଏ କାକ ତାଇନାଃ, ଇନିୟାଃ ହନ୍ ଚାଏ ହାଗା ଜେତା ବାନ୍କଆ । ଏନ୍ରେହ ଇନିଃ ଆୟାଃ କାମି ଏତେ ଚିଉଲାହ କା ଥାବର୍ ନାଃ, ଚିମିନ୍ ଖୁର୍ଜି ତାଇନ୍ରେହ ଇନିୟାଃ ମେଦ୍ ରାଃ ଲାଲାଚ୍ କା ନିରାଃ । ଇନିଃ କାଜିୟାଃ, ଅକଏ ନାଗେନ୍ତେ ହୁଣ୍ଡି ତାନାଇଙ୍ଗ୍ ଓଡ଼ୋଃ ଆଇଁୟାଃ ଜୀଉକେ ସୁକୁ ଏତେ ବାଞ୍ଚାଅଃତାନା ? ନେଆଁଗି ସାମାତାନାଃ ଓଡ଼ୋଃ ପୁରାଃ ଦୁକୁ ବିଷାଏ ତାନାଃ ।
9 ମିହୁଡ଼୍ ଏତେ ବାର୍ହଡ଼୍ ବୁଗିନାଃତାନାଃ, ଚିୟାଃଚି ଇନ୍କିନ୍ ଆପାନ୍ କାମିରେୟାଃ ନାଲା ନାମେୟାଃକିନ୍ । 10 ଇନ୍କିନ୍ ଏତେ ମିହୁଡ଼୍ ଉୟୁଃ ରେଦ ଓଡ଼ୋଃ ମିହୁଡ଼୍ ଏଟାଃନିଃକେ ବିରିଦିୟା । ମେନ୍ଦ ଉୟୁଃ ଇମ୍ତାଙ୍ଗ୍ ଅକଏ ଏସ୍କାର୍ ତାଇନାଃ ଓଡ଼ୋଃ ଇନିଃକେ ବିରିଦ୍ ନାଗେନ୍ତେ ଜେତାଏ କା ତାଇନ୍ରେ, ଇନିଃ ସାର୍ପାଅ ଲେକାନ୍ ହଡ଼ ହୁଇନାଃ । 11 ଆଡଃଗି ବାର୍ହଡ଼୍ ମିଦ୍ତାଃରେ ଗିତିକ୍ରେ ଇନ୍କିନ୍ ଉର୍ଗୁମ୍ନାଃକିନ୍ । ମେନ୍ଦ ମିହୁଡ଼୍ ଏସ୍କାର୍ଗି ଗିତିକ୍ରେ ଚିଲ୍କା ଇନିଃକେ ଉର୍ଗୁମିୟାଁ ? 12 ମିହୁଡ଼୍ ଏସ୍କାର୍ଗି ତାଇନ୍ରେ ଇନିଃକେ ହାରାଅ ଦାଡ଼ିୟଃଆ, ମେନ୍ଦ ବାର୍ହଡ଼୍ ତାଇନ୍ରେ ଇନ୍କିନ୍ ଏନାରାଃ ସାମ୍ନାଃ ରିକାୟା । ଓଡ଼ୋଃ ଆପିୟାଃ ବାହେର୍ ମିଦ୍ତାଃରେ ତଲ୍କାନ୍ରେ ଏନା ଇମ୍ତାଗି କା ଟଟାଗଃଆ ।
13 ଅକନ୍ ହାଡ଼ାମ୍ ଓଡ଼ୋଃ ଡଣ୍ଡ ରାଜା ଜେତାନ୍ ଚେତାଅ କାଜି କାଏ ଆୟୁମାଃ, ଇନ୍କିନ୍କେ ବାଗିକେଦ୍ତେ ଗାରିବ୍ ଓଡ଼ୋଃ ସେଣାଁ ସେପେଡ଼େଦ୍ କଡ଼ା ବୁଗିନ୍ ତାନିଃ । 14 ଚିୟାଃଚି ଇନିଃ ରାଜା ହବାଅ ନାଗେନ୍ତେ ଜେହେଲ୍ ଏତେ ବାହାରି ଅଡଙ୍ଗ୍ୟାନାଏ, ଓଡ଼ୋଃ ଇନିଃ ଆୟାଃ ରାଇଜ୍ରେ ଗାରିବ୍ ଲେକାତେ ଜାନାମ୍ୟାନାଏ । 15 ଆଇଙ୍ଗ୍ ସିଙ୍ଗି ଲାତାର୍ରେ ହିଜୁଃ ସେନଃତାନ୍ ସବେନ୍ ଜିନିଦ୍ ତାଇନ୍ତାନ୍ କକେ ନେଲ୍କେଦ୍କଆ । ଓଡ଼ୋଃ ଅକନ୍ ଏଟାଃ ଡ଼ିଣ୍ଡା କଡ଼ା ଏନ୍ ଠାୟାଦ୍ରେ ବିରିଦ୍ୟାନା, ଇନିଃ ଇନିୟାଃ ଗାତି ତାଇକେନାଏ । 16 ଇନିଃ ଅକନ୍ ହଡ଼କକେ ରାଇଜ୍ କେଦ୍କଆ, ଇନ୍କୁ ପୁରାଃଗି ତାଇନ୍କେନା । ଏନ୍ରେହ ହିଜୁଃ ପିଢ଼ିରେନ୍ ହଡ଼କ ଇନିଃତାଃରେ କାକ ରାସ୍କାୟାନା । ନେଆଁଗି ସାମା କାଜିତାନାଃ ଓଡ଼ୋଃ ହୟକେ ସାବ୍ ଲେକାନ୍ ବିଷାଏ ତାନାଃ ।