Publicidade

Provérbios 1

ହିତୋପଦେଶର ଉପାଦେୟତା

1 ଦାଉଦଙ୍କ ପୁତ୍ର ଇସ୍ରାଏଲର ରାଜା ଶଲୋମନଙ୍କ ହିତୋପଦେଶ;

2 ଜ୍ଞାନ ଓ ଉପଦେଶ ବୁଝିବାକୁ;

ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ;

3 ସୁଆଚରଣ, ସାଧୁତା ଓ ସୁବିବେଚନା

ଏବଂ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ;

4 ସରଳ ଲୋକଙ୍କୁ ସତର୍କତା

ଓ ଯୁବା ଲୋକକୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ;

5 ଯେପରି ଜ୍ଞାନବାନ ଲୋକ (ତାହା) ଶୁଣି ପାଣ୍ଡିତ୍ୟରେ ବୃଦ୍ଧି ପାଇବ

ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ;

6 ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା

ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।

ଯୁବ ସମାଜକୁ ଉପଦେଶ

7 ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ;

ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି।

8 ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ

ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।

9 ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ

ଓ ଗଳଦେଶର ହାର ସ୍ୱରୂପ ହେବ।

10 ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ,

ତୁମ୍ଭେ ସମ୍ମତ ହୁଅ ନାହିଁ।

11 ସେମାନେ ଯଦି କହନ୍ତି, "ଆମ୍ଭମାନଙ୍କ ସହିତ ଆସ,

ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ,

ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;

12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ

ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;

13 ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା,

ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା,

14 ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ;

ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ;"

15 ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ,

ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;

16 ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼େ

ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁ ଯାଏ।

17 କୌଣସି ପକ୍ଷୀର ଆଖି ଆଗରେ

ଜାଲ ପାତିବା ନିତାନ୍ତ ବ୍ୟର୍ଥ ହୁଏ।

18 ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି

ଓ ଆପଣାମାନଙ୍କ ପ୍ରାଣକୁ (ଧରିବା ପାଇଁ) ଗୁପ୍ତରେ ଲୁଚି ରହନ୍ତି।

19 ସମସ୍ତ ଧନଲୋଭୀର ଗତି ଏହି;

ତାହା ଧନର ଅଧିକାରୀମାନଙ୍କର ପ୍ରାଣନାଶ କରେ।

ଜ୍ଞାନର ଆହ୍ୱାନ

20 ଜ୍ଞାନ ରାସ୍ତାରେ ଉଚ୍ଚସ୍ୱରରେ ଡାକେ;

ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ;

21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକେ;

ନଗର ଦ୍ୱାରର ପ୍ରବେଶ ସ୍ଥାନରେ

ଓ ନଗର ମଧ୍ୟରେ ଆପଣା ବାକ୍ୟ ଉଚ୍ଚାରଣ କରି କହେ;

22 "ହେ ନିର୍ବୋଧ ଲୋକମାନେ, କେତେ କାଳ ମୂର୍ଖତାକୁ ଭଲ ପାଇବ?

ହେ ନିନ୍ଦୁକମାନେ, ଆଉ କେତେ କାଳ ନିନ୍ଦାରେ ସନ୍ତୁଷ୍ଟ ଥିବ?

ହେ ମୂର୍ଖମାନେ, ଆଉ କେତେ କାଳ ବିଦ୍ୟାକୁ ଘୃଣା କରିବ?

23 ମୋʼ ଅନୁଯୋଗରେ ମନ ଫେରାଅ;

ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି,

ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।

24 ଯେହେତୁ ମୁଁ ଡାକିଲି, ପୁଣି, ତୁମ୍ଭେମାନେ ମନା କଲ;

ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ;

25 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ଉପଦେଶ ତୁଚ୍ଛଜ୍ଞାନ କଲ,

ପୁଣି ମୋହର କୌଣସି ଅନୁଯୋଗକୁ ଚାହିଁଲ ନାହିଁ;

26 ଏହେତୁ ମୁଁ ମଧ୍ୟ ତୁମ୍ଭମାନଙ୍କ ବିପଦ ବେଳେ ହସିବି,

ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି।

27 ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବ

ଓ ଘୂର୍ଣ୍ଣିବାୟୁ ପରି ତୁମ୍ଭମାନଙ୍କର ବିପଦ ଆସିବ;

ଯେତେବେଳେ କ୍ଳେଶ ଓ ବେଦନା ତୁମ୍ଭମାନଙ୍କ ପ୍ରତି ଘଟିବ;

28 ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ;

ସେମାନେ ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ।

29 କାରଣ ସେମାନେ ବିଦ୍ୟାକୁ ଘୃଣା କଲେ

ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ;

30 ସେମାନେ ମୋହର କୌଣସି ଉପଦେଶ ଗ୍ରହଣ କଲେ ନାହିଁ

ଓ ମୋହର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ।

31 ଏଥିପାଇଁ ସେମାନେ ଆପଣା ଆପଣା କର୍ମର ପ୍ରତିଫଳ ଭୋଗିବେ

ଓ ଆପଣା ଆପଣା କୁପରାମର୍ଶର ସମ୍ପୂର୍ଣ୍ଣ ଫଳ ଭୋଗ କରିବେ।

32 ହଁ, ନିର୍ବୋଧମାନଙ୍କର ବିପଥଗମନ ସେମାନଙ୍କୁ ବିନାଶ କରିବ

ଓ ଅଜ୍ଞାନମାନଙ୍କର ଆତ୍ମତୃପ୍ତି ସେମାନଙ୍କୁ ସଂହାର କରିବ।

33 ମାତ୍ର ଯେଉଁ ଲୋକ ମୋହର କଥା ଶୁଣେ, ସେ ନିରାପଦରେ ବାସ କରିବ

ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ।"

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-