Publicidade

Provérbios 3

ଯୁବକମାନଙ୍କୁ ଉପଦେଶ

1 ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ;

ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।

2 ଯେହେତୁ ତଦ୍ଦ୍ୱାରା ପରମାୟୁର ଦୀର୍ଘତା

ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ।

3 ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ;

ଆପଣା କଣ୍ଠରେ ଉଭୟକୁ ବାନ୍ଧ

ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ।

4 ତାହା କଲେ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ

ଅନୁଗ୍ରହ ଓ ସୁବିବେଚନା ଲାଭ କରିବ।

5 ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର

ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।

6 ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର;

ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ।

7 ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ;

ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।

8 ତାହା ତୁମ୍ଭ ନାଭିଦେଶର ସ୍ୱାସ୍ଥ୍ୟ

ଓ ଅସ୍ଥିର ମଜ୍ଜା ହେବ।

9 ତୁମ୍ଭେ ଆପଣା ଧନରେ

ଓ ସମସ୍ତ ଆୟର ପ୍ରଥମ ଫଳରେ

ସଦାପ୍ରଭୁଙ୍କର ସମାଦର କର।

10 ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ

ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

11 ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ

ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ।

12 କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ,

ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଅନୁଶାସନ କରନ୍ତି।

13 ଯେଉଁ ଲୋକ ଜ୍ଞାନ ପାଏ

ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ।

14 ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ,

ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ।

15 ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ,

ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।

16 ତାହାର ଡାହାଣ ହସ୍ତରେ ଦୀର୍ଘାୟୁ,

ତାହାର ବାମ ହସ୍ତରେ ଧନ ଓ ସମ୍ମାନ ଥାଏ।

17 ତାହାର ପଥସବୁ ସୁଖଦାୟକ ପଥ

ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ।

18 ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି,

ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ;

ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ।

19 ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ,

ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ।

20 ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଚ୍ଛୁଳି ଉଠେ,

ପୁଣି, ମେଘରୁ କାକର ଟୋପା ଟୋପା ପଡ଼େ।

21 ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ,

ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର।

22 ତାହା ତୁମ୍ଭ ପ୍ରାଣର ଜୀବନ

ଓ କଣ୍ଠର ଭୂଷଣ ହେବ।

23 ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ,

ପୁଣି, ତୁମ୍ଭର ଚରଣ ଝୁଣ୍ଟିବ ନାହିଁ।

24 ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ, ହଁ,

ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ।

25 ହଠାତ୍‍ ଉତ୍ପନ୍ନ ଆଶଙ୍କାକୁ

କିଅବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ।

26 ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସଭୂମି ହେବେ,

ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ।

27 ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ,

ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ।

28 ଆପଣା ନିକଟରେ ଦ୍ରବ୍ୟ ଥିଲେ,

ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା

ଏହା ତୁମ୍ଭ ପ୍ରତିବାସୀକୁ କୁହ ନାହିଁ।

29 ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ

ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ।

30 ମନୁଷ୍ୟ ତୁମ୍ଭର କ୍ଷତି ନ କଲେ,

ଅକାରଣରେ ତାହା ସହିତ ବିରୋଧ କର ନାହିଁ।

31 ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ,

ପୁଣି, ତାହାର କୌଣସି ପଥ ମନୋନୀତ କର ନାହିଁ।

32 କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର;

ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ।

33 ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ,

ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି।

34 ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି,

ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।

35 ଜ୍ଞାନବାନ ଲୋକେ ସମ୍ମାନର ଅଧିକାରୀ ହେବେ,

ମାତ୍ର ଲଜ୍ଜା ଅଜ୍ଞାନମାନଙ୍କ ଉନ୍ନତି ହେବ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-