Publicidade

Provérbios 11

1 ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ।

ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର।

2 ଅହଙ୍କାର ଆସିଲେ ଲଜ୍ଜା ଆସେ;

ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ।

3 ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ,

ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ।

4 ପରମେଶ୍ୱରଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ,

ମାତ୍ର ଧାର୍ମିକତା ମୃତ୍ୟୁୁରୁ ରକ୍ଷା କରେ।

5 ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବ,

ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ।

6 ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ,

ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରା ପଡ଼ିବେ।

7 ଦୁଷ୍ଟ ମଲେ, ତାହାର ଭରସା ନଷ୍ଟ ହୁଏ

ଓ ଅଧାର୍ମିକମାନଙ୍କର ଆଶା ବିନଷ୍ଟ ହୁଏ।

8 ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ,

ପୁଣି, ଦୁଷ୍ଟ ତାହା ବଦଳେ ତହିଁକୁ ଆସେ।

9 ଭକ୍ତିହୀନ ଲୋକ ଆପଣା ମୁଖରେ ପ୍ରତିବାସୀକୁ ନାଶ କରେ,

ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାର ପ୍ରାପ୍ତ ହୁଏ।

10 ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ;

ପୁଣି, ଦୁଷ୍ଟର ବିନାଶ ହେଲେ, ଜୟଧ୍ୱନି ହୁଏ।

11 ସରଳ ଲୋକର ଆଶୀର୍ବାଦରେ ନଗର ଉନ୍ନତ ହୁଏ,

ମାତ୍ର ଦୁଷ୍ଟ ଲୋକର ମୁଖରେ ତାହାର ନିପାତ ହୁଏ।

12 ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ;

ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ।

13 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତ କଥା ପ୍ରକାଶ କରେ,

ମାତ୍ର ଯାହାର ବିଶ୍ୱସ୍ତ ମନ, ସେ କଥା ଗୁପ୍ତରେ ରଖେ।

14 ସୁପରାମର୍ଶ ଅଭାବରେ ଜାତିର ପତନ ହୁଏ,

ପୁଣି, ବହୁସଂଖ୍ୟକ ପରାମର୍ଶଦାତାଙ୍କ ଉପରେ ଜାତିର ନିରାପତ୍ତା ନିର୍ଭର କରେ।

15 ଅଜଣା ଲୋକ ପାଇଁ ଯେ ମଧ୍ୟସ୍ଥ ହୁଏ, ସେ ଅବଶ୍ୟ କ୍ଳେଶ ପାଏ;

ମାତ୍ର ମଧ୍ୟସ୍ଥ ହେବାକୁ ଯେ ଘୃଣା କରେ, ସେ ନିରାପଦରେ ଥାଏ।

16 ଅନୁଗ୍ରହଜନିକା ସ୍ତ୍ରୀ ଗୌରବ ଧରି ରଖେ,

ପୁଣି, ଉପଦ୍ରବୀ ଲୋକେ ସମ୍ପତ୍ତି ଧରି ରଖନ୍ତି।

17 ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ;

ମାତ୍ର ଯେ ନିର୍ଦ୍ଦୟ, ସେ ଆପଣା ଦେହକୁ ଦୁଃଖ ଦିଏ।

18 ଦୁଷ୍ଟ ଲୋକ ମିଥ୍ୟା ଉପାର୍ଜ୍ଜନ କରେ,

ମାତ୍ର ଯେ ଧର୍ମବୀଜ ବୁଣେ, ତାହାର ନିଶ୍ଚିତ ପୁରସ୍କାର ଅଛି।

19 ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ଜୀବନ ପାଇବ;

ପୁଣି, କୁକର୍ମର ପଛେ ଯେ ଧାଏଁ, ସେ ଆପଣା ମୃତ୍ୟୁୁ ଘଟାଏ।

20 କୁଟିଳମନା ଲୋକେ ସଦାପ୍ରଭୁଙ୍କର ଘୃଣାପାତ୍ର,

ମାତ୍ର ସରଳାଚାରୀମାନେ ତାହାଙ୍କର ତୁଷ୍ଟିକର।

21 ମନ୍ଦ ଲୋକ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନୋହିବେ,

ମାତ୍ର ଧାର୍ମିକର ବଂଶ ରକ୍ଷାପ୍ରାପ୍ତ ହେବେ।

22 ଘୁଷୁରିର ଥୋମଣିରେ ଯେପରି ସୁବର୍ଣ୍ଣ ନଥ,

ସେପରି ସୁବିଚାରତ୍ୟାଗିନୀ ରୂପବତୀ ସ୍ତ୍ରୀ।

23 ଧାର୍ମିକମାନଙ୍କ ବାଞ୍ଛାର ଫଳ କେବଳ ମଙ୍ଗଳ,

ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ।

24 କେହି କେହି ବିତରଣ କରି ଆହୁରି ବଢ଼ନ୍ତି,

ପୁଣି, କେହି କେହି ଉଚିତ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ।

25 ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ,

ଆହୁରି, ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ।

26 ଶସ୍ୟ ଯେ ଅଟକ କରି ରଖେ, ତାହାକୁ ଲୋକମାନେ ଅଭିଶାପ ଦେବେ,

ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ, ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ।

27 ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ,

ପୁଣି ଯେ ପରର ମନ୍ଦ କରିବାକୁ ଖୋଜେ, ତାହା ପ୍ରତି ତାହା ହିଁ ଘଟିବ।

28 ଆପଣା ଧନରେ ଯେ ନିର୍ଭର ରଖେ, ସେ ପତିତ ହେବ;

ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ।

29 ଆପଣା ପରିବାରକୁ ଯେ ଦୁଃଖ ଦିଏ, ସେ ବାୟୁରୂପ ଅଧିକାର ପାଏ;

ପୁଣି, ଅଜ୍ଞାନ ବିଜ୍ଞ ବ୍ୟକ୍ତିର ଦାସ ହେବ।

30 ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ,

ପୁଣି, ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ।

31 ଦେଖ, ପୃଥିବୀରେ ଧାର୍ମିକଗଣ ହିଁ ପ୍ରତିଫଳ ପାʼନ୍ତି,

ତେବେ ଦୁଷ୍ଟ ଓ ପାପୀଗଣ କʼଣ ତତୋଧିକ ପାଇବେ ନାହିଁ?

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-