Publicidade

Provérbios 20

1 ଦ୍ରାକ୍ଷାରସ ନିନ୍ଦକ, ମଦ୍ୟ କଳହକାରୀ;

ଯେକେହି ତଦ୍ଦ୍ୱାରା ଭ୍ରାନ୍ତ ହୁଏ, ସେ ଜ୍ଞାନବାନ ନୁହେଁ।

2 ରାଜାର ଭୟଙ୍କରତା ସିଂହ ଗର୍ଜ୍ଜନ ପରି;

ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ଆପଣା ପ୍ରାଣ ବିରୁଦ୍ଧରେ ପାପ କରେ।

3 ବିବାଦରୁ ନିବୃତ୍ତ ହେବାର ମନୁଷ୍ୟର ଗୌରବ;

ମାତ୍ର ପ୍ରତ୍ୟେକ ମୂର୍ଖ ଲୋକ କନ୍ଦଳ କରେ।

4 ଅଳସୁଆ ଶୀତ ସକାଶୁ ହଳ ବୁଲାଏ ନାହିଁ;

ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ।

5 ମନୁଷ୍ୟର ମନର ମନ୍ତ୍ରଣା ଗଭୀର ଜଳ ତୁଲ୍ୟ,

ମାତ୍ର ବୁଦ୍ଧିମାନ ଲୋକ ତାହା କାଢ଼ିବ।

6 ଅଧିକାଂଶ ଲୋକ ଆପଣା ଆପଣା ଦୟାଳୁତା ପ୍ରଚାର କରନ୍ତି;

ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇ ପାରେ?

7 ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ,

ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି।

8 ଯେଉଁ ରାଜା ବିଚାରାସନରେ ବସେ,

ସେ ନିଜ ଚକ୍ଷୁ ଦ୍ୱାରା ମନ୍ଦ ବିଷୟସବୁ ଉଡ଼ାଇ ଦିଏ।

9 ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ,

ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ?

10 ନାନା ପ୍ରକାର ବଟଖରା ଓ ନାନା ପ୍ରକାର ପରିମାଣ

ଉଭୟ ସମାନ ରୂପେ ସଦାପ୍ରଭୁଙ୍କର ଘୃଣିତ।

11 ଆପଣାର କର୍ମ ନିର୍ମଳ ଓ ସରଳ କି ନାହିଁ,

ଏହା ଗୋଟିଏ ପିଲା ସୁଦ୍ଧା ଆପଣାର କର୍ମ ଦ୍ୱାରା ଆପଣାର ପରିଚୟ ଦିଏ।

12 ଶୁଣିବା କାନ ଓ ଦେଖିବା ଆଖି,

ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଅଛନ୍ତି।

13 ନିଦ୍ରାକୁ ଭଲ ପାଅ ନାହିଁ, ନୋହିଲେ ତୁମ୍ଭେ ଦରିଦ୍ର ହେବ;

ତୁମ୍ଭ ଚକ୍ଷୁ ଫିଟାଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।

14 କିଣିବା ଲୋକ କହେ, "ଭଲ ନୁହେଁ, ଭଲ ନୁହେଁ,"

ମାତ୍ର ଆପଣା ବାଟରେ ଗଲା ବେଳେ ଦର୍ପ କରେ।

15 ସୁବର୍ଣ୍ଣ ଅଛି ଓ ଅନେକ ମୁକ୍ତା ହିଁ ଅଛି,

ମାତ୍ର ଜ୍ଞାନବିଶିଷ୍ଟ ଓଷ୍ଠ ଅମୂଲ୍ୟ ରତ୍ନ।

16 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ;

ପୁଣି, ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ୍‍ ହୁଏ, ତାହାକୁ ବନ୍ଧକ ରଖ।

17 ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଷ୍ଟ ଲାଗେ;

ମାତ୍ର ପଛେ ତାହାର ମୁଖ ଗୋଡ଼ିରେ ପୂର୍ଣ୍ଣ ହେବ।

18 ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ;

ପୁଣି, ତୁମ୍ଭେ ଭଲ ପରାମର୍ଶ ଘେନି ଯୁଦ୍ଧ କର।

19 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତ କଥା ପ୍ରକାଶ କରେ;

ଏନିମନ୍ତେ ଯେ ଆପଣା ଓଷ୍ଠ ଖୋଲା ରଖେ, ତାହା ସଙ୍ଗରେ ବ୍ୟବହାର କର ନାହିଁ।

20 ଯେ ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ,

ଘୋର ଅନ୍ଧାରରେ ତାହାର ପ୍ରଦୀପ ନିଭାଯିବ।

21 ପ୍ରଥମରେ କୌଣସି ଅଧିକାର ହଠାତ୍‍ ମିଳିପାରେ;

ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ।

22 "ଆମ୍ଭେ ଅନିଷ୍ଟର ପ୍ରତିଫଳ ଦେବା," ତୁମ୍ଭେ ଏପରି କଥା କୁହ ନାହିଁ,

ସଦାପ୍ରଭୁଙ୍କଠାରେ ଅନୁସରଣ କର, ସେ ତୁମ୍ଭକୁ ଉଦ୍ଧାର କରିବେ।

23 ନାନା ପ୍ରକାର ବଟଖରା ସଦାପ୍ରଭୁଙ୍କ ଘୃଣାର ବିଷୟ,

ପୁଣି, ଅଯଥାର୍ଥ ଦଣ୍ଡି ଭଲ ନୁହେଁ।

24 ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ;

ତେଣୁ ମନୁଷ୍ୟ ଆପଣା ବାଟ କିପରି ବୁଝି ପାରିବ?

25 ଏହା ପବିତ୍ର ବୋଲି ହଠାତ୍‍ କହିବାର

ଓ ମାନତ କଲା ଉତ୍ତାରେ ବିଚାର କରିବାର, ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ।

26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ପାଛୁଡ଼ି ପକାଇ

ସେମାନଙ୍କ ଉପରେ ଚକ୍ର ବୁଲାଏ।

27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ,

ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରେ।

28 ଦୟା ଓ ସତ୍ୟତା ରାଜାକୁ ରକ୍ଷା କରେ;

ପୁଣି, ଦୟା ଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ।

29 ଯୁବାମାନଙ୍କର ବଳ ସେମାନଙ୍କର ଭୂଷଣ,

ବୃଦ୍ଧମାନଙ୍କର ପକ୍ୱକେଶ ସେମାନଙ୍କର ଶୋଭା।

30 କ୍ଷତଜନକ ପ୍ରହାର ମନ୍ଦତା ପରିଷ୍କାର କରେ,

ପୁଣି, ଦଣ୍ଡାଘାତ ଅନ୍ତରାଳୟରେ ପ୍ରବେଶ କରେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-18_09-43-29-