Publicidade

Provérbios 4

ଜ୍ଞାନର ଉପକାରିତା

1 ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ

ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର।

2 ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି,

ମୋହର ଆଦେଶ ପରିତ୍ୟାଗ କର ନାହିଁ।

3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି,

ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।

4 ପିତା ମୋତେ ଶିକ୍ଷା ଦେଇ କହିଲେ,

"ତୁମ୍ଭ ମନରେ ମୋହର କଥାସବୁ ରଖ,

ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।

5 ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ;

ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।

6 ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ;

ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ।

7 ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର;

ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର।

8 ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ;

ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ।

9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ;

ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।"

10 ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ;

ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ।

11 ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି,

ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି।

12 ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ;

ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ।

13 ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ିଦିଅ ନାହିଁ; ତାକୁ ରଖ;

କାରଣ ତାହା ତୁମ୍ଭର ଜୀବନ।

14 କୁକର୍ମୀମାନଙ୍କ ପଥ ମଧ୍ୟରେ ପ୍ରବେଶ କର ନାହିଁ

ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ।

15 ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ;

ତହିଁରୁ ବିମୁଖ ହୋଇ ଚାଲିଯାଅ।

16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ,

ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ।

17 ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି;

ପୁଣି, ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି।

18 ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ,

ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ।

19 ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ;

ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ।

20 ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର;

ମୋʼ ବାକ୍ୟରେ କର୍ଣ୍ଣ ଡେର।

21 ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ;

ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ।

22 ଯେହେତୁ ତାହା ଯେଉଁମାନେ ପାଆନ୍ତି,

ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ।

23 ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ;

ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।

24 ଆପଣାଠାରୁ କୁଟିଳ ମୁଖ ଦୂର କର

ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ।

25 ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ

ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ।

26 ତୁମ୍ଭେ ଆପଣା ପାଦ ସଳଖ କରି ପକାଅ

ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ।

27 ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ,

ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-