Publicidade

Provérbios 23

1 ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ,

ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର।

2 ଯେବେ ତୁମ୍ଭେ ପେଟାର୍ଥୀ ହୁଅ,

ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ।

3 ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ;

ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ।

4 ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ;

ତୁମ୍ଭ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ।

5 ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ?

କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ।

6 କୁଦୃଷ୍ଟି ଲୋକର ଆହାର ଖାଅ ନାହିଁ,

ପୁଣି, ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ;

7 କାରଣ ସେ ଯେରୂପ ମନରେ ନିଜେ ଭାବେ, ସେ ସେରୂପ ଅଟେ;

ସେ ଖାଅ ପିଅ ବୋଲି ତୁମ୍ଭକୁ କହେ ସତ୍ୟ,

ମାତ୍ର ତୁମ୍ଭଠାରେ ତାହାର ମନ ନାହିଁ।

8 ତୁମ୍ଭେ ଯେଉଁ ଅଳ୍ପ ଖାଇଅଛ, ତାହା ଉଦ୍ଗାର କରିବ;

ପୁଣି, ତୁମ୍ଭର ମଧୁର ବାକ୍ୟ ହରାଇବ।

9 ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ,

ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।

10 ପୁରାତନ ସୀମା ଘୁଞ୍ଚାଅ ନାହିଁ,

ପୁଣି, ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ।

11 କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ;

ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ।

12 ଉପଦେଶରେ ତୁମ୍ଭର ମନ

ଓ ଜ୍ଞାନର ବାକ୍ୟରେ ତୁମ୍ଭର କର୍ଣ୍ଣ ଦିଅ।

13 ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ;

ତୁମ୍ଭେ ତାହାକୁ ବାଡ଼ିରେ ମାରିଲେ ହେଁ ସେ ମରିବ ନାହିଁ।

14 ତୁମ୍ଭେ ତାହାକୁ ବାଡ଼ିରେ ମାରିବ

ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।

15 ହେ ମୋହର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ,

ମୋହର, ବିଶେଷରେ ମୋହର ମନ ହୃଷ୍ଟ ହେବ।

16 ହଁ, ତୁମ୍ଭ ଓଷ୍ଠ ଯଥାର୍ଥ କଥା କହିଲେ,

ମୋହର ଅନ୍ତଃକରଣ ଆହ୍ଲାଦିତ ହେବ।

17 ତୁମ୍ଭ ମନ ପାପୀଗଣକୁ ଈର୍ଷା ନ କରୁ,

ପୁଣି, ତୁମ୍ଭେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥାଅ।

18 କାରଣ ପୁରସ୍କାର ନିତାନ୍ତ ଅଛି

ଓ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।

19 ହେ ମୋହର ପୁତ୍ର, ଶୁଣ, ଜ୍ଞାନୀ ହୁଅ,

ପୁଣି, ତୁମ୍ଭ ମନକୁ ସତ୍‍ପଥରେ କଢ଼ାଇ ନିଅ।

20 ଦ୍ରାକ୍ଷାରସରେ ଆସକ୍ତ

ଓ ପେଟାର୍ଥୀ ମାଂସ-ଭୋକ୍ତାମାନଙ୍କ ସଙ୍ଗୀ ହୁଅ ନାହିଁ।

21 କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ;

ପୁଣି ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ।

22 ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ,

ପୁଣି, ମାତା ବୃଦ୍ଧା ହେଲେ, ତାହାକୁ ତୁଚ୍ଛ କର ନାହିଁ।

23 ସତ୍ୟତା କିଣ, ପୁଣି, ତାହା ବିକ ନାହିଁ;

ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ।

24 ଧାର୍ମିକର ପିତା ଅତିଶୟ ଆନନ୍ଦ କରେ,

ପୁଣି, ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ।

25 ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହେଉନ୍ତୁ,

ତୁମ୍ଭର ଗର୍ଭଧାରିଣୀ ଆନନ୍ଦ କରୁ।

26 ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ,

ପୁଣି, ତୁମ୍ଭ ଚକ୍ଷୁ ମୋʼ ପଥରେ ତୁଷ୍ଟ ହେଉ।

27 କାରଣ ବେଶ୍ୟା ଗଭୀର ଖାତ,

ପୁଣି, ପରସ୍ତ୍ରୀ ସଂକୀର୍ଣ୍ଣ କୂପ ଅଟେ।

28 ଆହୁରି ସେ ଡକାୟତ ପରି ଛକି ବସେ,

ପୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ।

29 କାହାର ହାହାକାର? କାହାର ଓକାର? କାହାର କଳି?

କାହାର ବକାବକି? କାହାର ଅକାରଣ କ୍ଷତ?

କାହାର ରକ୍ତବର୍ଣ୍ଣ ଚକ୍ଷୁ?

30 ଯେଉଁମାନେ ଦ୍ରାକ୍ଷାରସ ପାନରେ ବହୁ କାଳ ବସିଥାʼନ୍ତି,

ଯେଉଁମାନେ ମିଶ୍ରିତ ସୁରା ଖୋଜି ବୁଲନ୍ତି, ସେମାନଙ୍କର।

31 ଦ୍ରାକ୍ଷାରସ ରଙ୍ଗିୟା ହେଲେ,

ପାତ୍ରରେ ଚକମକାଇଲେ

ଓ ସହଜେ ଗଳାଧଃକରଣ ହେଲେ, ତୁମ୍ଭେ ତାକୁ ଅନାଅ ନାହିଁ।

32 ଶେଷରେ ତାହା ସର୍ପ ପରି କାମୁଡ଼େ

ଓ କାଳସର୍ପ ତୁଲ୍ୟ ଦଂଶନ କରେ।

33 ତୁମ୍ଭର ଚକ୍ଷୁ ବିପରୀତ ବିଷୟ ଦେଖିବ,

ତୁମ୍ଭ ହୃଦୟ କୁଟିଳ କଥା କହିବ।

34 ପୁଣି, ତୁମ୍ଭେ ସମୁଦ୍ର ମଧ୍ୟରେ ଶୟନକାରୀ

କିଅବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକ ତୁଲ୍ୟ ହେବ।

35 ତୁମ୍ଭେ କହିବ, ସେମାନେ ମୋତେ ମାଇଲେ, ମାତ୍ର ମୁଁ କ୍ଷତି ପାଇ ନାହିଁ;

ସେମାନେ ମୋତେ ପ୍ରହାର କଲେ, ମାତ୍ର ମୁଁ କିଛି ଜାଣି ନାହିଁ;

ମୁଁ କେବେ ଜାଗିବି? ପୁନର୍ବାର ମୁଁ ତାହା ଖୋଜିବି।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-