Publicidade

Provérbios 24

1 ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ,

ପୁଣି, ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।

2 କାରଣ ସେମାନଙ୍କ ଅନ୍ତଃକରଣ ଦୌରାତ୍ମ୍ୟ କଳ୍ପନା କରେ,

ପୁଣି, ସେମାନଙ୍କ ଓଷ୍ଠ ଅନିଷ୍ଟ କଥା କହେ।

3 ଜ୍ଞାନରେ ଗୃହ ନିର୍ମିତ ହୁଏ

ଓ ବୁଦ୍ଧିରେ ତାହା ସ୍ଥିର ହୁଏ;

4 ଜ୍ଞାନରେ ତାହାର କୋଠରିସବୁ ବହୁମୂଲ୍ୟ

ଓ ମନୋରମ ବସ୍ତୁରେ ପରିପୂର୍ଣ୍ଣ ହୁଏ।

5 ଜ୍ଞାନବାନ ଲୋକ ବଳବାନ,

ପୁଣି, ବିଦ୍ୱାନ୍‍ ଲୋକ ବଳ ବଢ଼ାଏ।

6 ଅବଶ୍ୟ ତୁମ୍ଭେ ଭଲ ପରାମର୍ଶ ଘେନି ଆପଣା ଯୁଦ୍ଧ କରିବ;

ଆଉ, ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ।

7 ଅଜ୍ଞାନ ପ୍ରତି ଜ୍ଞାନ ଅତି ଉଚ୍ଚ;

ସେ ନଗର-ଦ୍ୱାରରେ ଆପଣା ମୁଖ ଫିଟାଏ ନାହିଁ।

8 ଯେଉଁ ଲୋକ ମନ୍ଦ କରିବାକୁ ଚିନ୍ତା କରେ,

ଲୋକମାନେ ତାହାକୁ କୁସନ୍ଧାନୀ ବୋଲି କହିବେ।

9 ଅଜ୍ଞାନର ସଂକଳ୍ପ ପାପଯୁକ୍ତ;

ପୁଣି, ନିନ୍ଦକ ମନୁଷ୍ୟମାନଙ୍କ ନିକଟରେ ଘୃଣିତ।

10 ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ,

ତେବେ ତୁମ୍ଭର ଶକ୍ତି ଅଳ୍ପ।

11 ମୃତ୍ୟୁୁ ନିମନ୍ତେ ନିଆଯିବା ଲୋକମାନଙ୍କୁ ଉଦ୍ଧାର କର

ଓ ହତ ହେବା ନିମନ୍ତେ ଉଦ୍ୟତ ଲୋକମାନଙ୍କୁ ରକ୍ଷା କରିବା ପାଇଁ କ୍ଷାନ୍ତ ହୁଅ ନାହିଁ।

12 ଯଦି ତୁମ୍ଭେ କୁହ, ଦେଖ, ଆମ୍ଭେମାନେ ଏହା ଜାଣି ନାହୁଁ,

ତେବେ ଅନ୍ତଃକରଣ ତୌଲିବା କର୍ତ୍ତା କʼଣ ତାହା ବୁଝନ୍ତି ନାହିଁ?

ପୁଣି, ତୁମ୍ଭ ପ୍ରାଣର ରକ୍ଷାକର୍ତ୍ତା କʼଣ ତାହା ଜାଣନ୍ତି ନାହିଁ?

ଆଉ, ସେ କʼଣ ପ୍ରତି ଜଣକୁ ଆପଣା କର୍ମାନୁସାରେ ପ୍ରତିଫଳ ଦେବେ ନାହିଁ?

13 ହେ ମୋହର ପୁତ୍ର, ତୁମ୍ଭେ ମଧୁ ଖାଅ, ଯେହେତୁ ତାହା ଭଲ;

ପୁଣି, ମଧୁଚାକ ଖାଅ, ଯେହେତୁ ତାହା ତୁମ୍ଭ ତୁଣ୍ଡକୁ ସୁସ୍ୱାଦୁ ଲାଗିବ।

14 ଜ୍ଞାନ ତୁମ୍ଭ ପ୍ରାଣ ପ୍ରତି ସେହି ପ୍ରକାର ବୋଲି ତୁମ୍ଭେ ଜାଣିବ;

ତୁମ୍ଭେ ତାହା ପାଇଲେ, ପୁରସ୍କାର ଥିବାରୁ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।

15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଛକି ବସ ନାହିଁ;

ତାହାର ବିଶ୍ରାମ-ସ୍ଥାନ ଲୁଟ କର ନାହିଁ।

16 ଯେଣୁ ଧାର୍ମିକ ସାତ ଥର ପଡ଼ିଲେ ହେଁ ପୁନର୍ବାର ଉଠେ;

ମାତ୍ର ଦୁଷ୍ଟମାନେ ବିପଦରେ ଝୁଣ୍ଟି ପଡ଼ନ୍ତି।

17 ତୁମ୍ଭର ଶତ୍ରୁ ପତିତ ହେଲେ ଆନନ୍ଦ କର ନାହିଁ,

ମଧ୍ୟ ସେ ଝୁଣ୍ଟି ପଡ଼ିଲେ, ତୁମ୍ଭର ଚିତ୍ତ ହୃଷ୍ଟ ନ ହେଉ;

18 କେଜାଣି ସଦାପ୍ରଭୁ ତାହା ଦେଖି ଅସନ୍ତୁଷ୍ଟ ହୁଅନ୍ତି

ଓ ତାହାଠାରୁ ଆପଣା କ୍ରୋଧ ଫେରାନ୍ତି।

19 ମନ୍ଦକର୍ମକାରୀମାନଙ୍କ ସକାଶୁ ବିରକ୍ତ ହୁଅ ନାହିଁ;

ପୁଣି, ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ।

20 କାରଣ ମନ୍ଦ ଲୋକର କୌଣସି ପୁରସ୍କାର ହେବ ନାହିଁ

ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।

21 ହେ ମୋହର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର,

ପୁଣି, ଚଞ୍ଚଳମତିମାନଙ୍କ ସଙ୍ଗରେ ଲିପ୍ତ ହୁଅ ନାହିଁ।

22 କାରଣ ହଠାତ୍‍ ସେମାନଙ୍କର ବିପଦ ଘଟିବ;

ପୁଣି, ସେହି ଉଭୟର ସଂହାର କିଏ ଜାଣେ?

23 ଏସବୁ ମଧ୍ୟ ଜ୍ଞାନୀମାନଙ୍କ କଥା।

ବିଚାରରେ ମନୁଷ୍ୟର ମୁଖାପେକ୍ଷା କରିବା ଭଲ ନୁହେଁ।

24 ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ,

ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ।

25 ମାତ୍ର ଯେଉଁମାନେ ତାହାକୁ ଅନୁଯୋଗ କରନ୍ତି, ସେମାନଙ୍କର ଆନନ୍ଦ ହେବ;

ପୁଣି, ଉତ୍ତମ ଆଶୀର୍ବାଦ ସେମାନଙ୍କ ଉପରେ ବର୍ତ୍ତେ।

26 ଯେ ଯଥାର୍ଥ ଉତ୍ତର ଦିଏ,

ସେ ଓଷ୍ଠାଧର ଚୁମ୍ବନ କରେ।

27 ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର,

କ୍ଷେତ୍ରରେ ଆପଣା ନିମନ୍ତେ ତାହା ପ୍ରସ୍ତୁତ କର;

ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର।

28 ଅକାରଣରେ ତୁମ୍ଭ ପ୍ରତିବାସୀ ବିପକ୍ଷରେ ସାକ୍ଷୀ ହୁଅ ନାହିଁ

ଓ ତୁମ୍ଭ ଓଷ୍ଠ ଦ୍ୱାରା ପ୍ରତାରଣା କର ନାହିଁ।

29 "ସେ ମୋʼ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି

ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏରୂପ କୁହ ନାହିଁ।"

30 ମୁଁ ଅଳସୁଆର କ୍ଷେତ୍ର

ଓ ନିର୍ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ନିକଟ ଦେଇ ଗଲି।

31 ପୁଣି, ଦେଖ, ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି

ଓ ବିଛୁଆତି ତହିଁ ଉପରେ ବ୍ୟାପ୍ତ ଅଛି,

ତହିଁର ପଥର ପାଚେରୀସବୁ ଭଗ୍ନ ହୋଇଅଛି।

32 ତହୁଁ ମୁଁ ଅନାଇଲି, ପୁଣି, ମନୋଯୋଗ କଲି;

ମୁଁ ଦେଖିଲି ଓ ଉପଦେଶ ପାଇଲି।

33 ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ,

ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,

34 ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି,

ପୁଣି, ତୁମ୍ଭ ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-