ସର୍ବଗୁଣ ସମ୍ପନ୍ନା ସ୍ତ୍ରୀ
10 ଗୁଣବତୀ ସ୍ତ୍ରୀ କିଏ ପାଇ ପାରେ?
ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ।
11 ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ,
ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ।
12 ସେ ଜୀବନଯାଏ
ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ।
13 ସେ ମେଷଲୋମ ଓ ମସିନା ଖୋଜି
ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ।
14 ସେ ବାଣିଜ୍ୟ-ଜାହାଜ ତୁଲ୍ୟ;
ସେ ଦୂରରୁ ଆପଣା ଆହାର ଆଣେ।
15 ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ
ଓ ଆପଣା ପରିଜନ ସମସ୍ତଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରେ
ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
16 ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ,
ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
17 ସେ ବଳରେ ଆପଣା ଅଣ୍ଟା ବାନ୍ଧେ
ଓ ଆପଣା ବାହୁ ବଳବାନ କରେ।
18 ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ;
ପୁଣି, ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ।
19 ସେ ଚରଖାକୁ ହାତ ବଢ଼ାଏ,
ପୁଣି, ତାହାର ହସ୍ତ ତାକୁଡ଼ି ଧରେ।
20 ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ
ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ।