1 ଦାରିୟାବସ୍ ସଃବୁ ରାଇଜେ ସଏ କଳେ ଲକେ ଗନର୍ ବାଚ୍ଲା। 2 ଆର୍ ଗନର୍ମଃନ୍ ଜଃନ୍କଃରି ଇସାବ୍ ଦେତି ଆର୍ ରଃଜାର୍ ଜଃନ୍କଃରି କିଚି ନଃସ୍ଟ୍ ନଃୟ୍, ଇତାର୍ ଗିନେ ସେମଃନ୍କାର୍ ଉହ୍ରେ ତିନି ଲକେ ମୁଳିକା ବାଚିରିଲା; ଇ ତିନି ଲକାର୍ ବିତ୍ରେ ଦାନିୟେଲ୍ ହେଁ ରିଲା। 3 ଇ ଦାନିୟେଲାର୍ ମଃନ୍ବିତ୍ରେ ବଃଲ୍ଆତ୍ମା ରିଲି ସେତାକ୍ ସେ ମୁଳିକାମଃନ୍କାର୍ ତଃୟ୍ହୁଣି ସାସନ୍ କଃର୍ତା ଲକ୍ମଃନ୍କାର୍ ବିତ୍ରେ ଡାକେହୁଟା ଅୟ୍ରିଲା; ଆର୍, ରଃଜା ତାକେ ସଃବୁ ରାୟ୍ଜ୍ ଉହ୍ରେ ଦାୟିତ୍ ଦେଉଁକ୍ ମଃନ୍କଃଲା। 4 ଇତାର୍ଗିନେ ବିନ୍ ମୁଳିକା ଆର୍ ସାସନ୍କଃରୁମଃନ୍ ରଃଜାର୍ କାମ୍ ବିସୟେ ଦାନିୟେଲାର୍ ଦଃସ୍ କଜୁକ୍ ଦଃର୍ଲାୟ୍; ମଃତର୍ ସେମଃନ୍ କାୟିହେଁ ଦଃସ୍ କି ବୁଲ୍ ହାଉଁ ନଃହାର୍ଲାୟ୍, କାୟିତାକ୍ବଃଲେକ୍ ସେ ବିସ୍ୱାସ୍ଜୟ୍ଗ୍ ରିଲା ଆର୍ ତାର୍ କାୟିରି ବୁଲ୍ କି ଦସ୍ ନଃରିଲି। 5 ତଃବେ ସେମଃନ୍ କୟ୍ଲାୟ୍, ଅଃମିମଃନ୍ ଦାନିୟେଲାର୍ ଇସ୍ୱରାର୍ ବିଦି ବିସୟେ, ତାର୍ ଦସ୍ ନଃଦେର୍ଲେକ୍ ଆରେକ୍ କୁୟି ବିସୟେ ଦଃସ୍ ଦଃରୁ ନଃହାରୁ। 6 ଇତାର୍ଗିନେ ମୁଳିକାମଃନ୍ ଆର୍ ସାସନ୍କାରିମଃନ୍ ଗଟେକ୍ଅୟ୍ ରଃଜାର୍ ଚଃମେ ଇବାନ୍ୟା କୟିଲାୟ୍, ମଃହାରାଜ୍ ଦାରିୟାବସ୍ ଅଃମର୍ଜିବନ୍ ଅଃଉଅ। 7 ରାଇଜାର୍ ମୁଳିକାମଃନ୍, ରଃଜା ବାଚିରିଲାଲକ୍ ଆର୍ ସାସନ୍କାରିମଃନ୍, ମଃତ୍ରି ଆର୍ ଦେସାର୍ ମୁଳିକାମଃନ୍ ସଃବୁଲକ୍ ଗଟେକ୍ଅୟ୍ କୁଟ୍ କଃରି ରଃଜାର୍ ଆଦେସ୍ ତଃୟ୍ ହୁଣି ଗଟେକ୍ ଜାଣାଉଣି ଚିଟି ଲେକ୍ଲାୟ୍ ଆର୍ ବଃଡ୍ ନିସେଦ୍ ବିଦି ମାନୁକ୍ ବିଚାର୍ କଃଲାୟି, ଜଦି କେଏ ତିରିସ୍ ଦିନ୍ ହଃତେକ୍ ମଃହାରଃଜାକ୍ ଚାଡି କୁୟି ଦେବ୍ତା କି ମାନାୟ୍ର୍ ଚଃମେ ପାର୍ତାନା କଃର୍ତି, ସେମଃନ୍ ସିଂହମଃନାର୍ କାଲେ ହଃଳ୍ତି। 8 ଅଃବେ ଏ ମଃହାରଃଜା, ମାଦକିୟ ଆର୍ ପାରସିକ୍ମଃନ୍କାର୍ ନିୟମ୍ ହଃର୍କାରେ ଇ ଆଡର୍ ଜଃନ୍କଃରି ମାନୁକେ ବାୟ୍ଦ୍, ଇତାର୍ଗିନେ ବୁଜ୍ ଆର୍ ଇ ଲେକାୟ୍ ତର୍ ନାଉ ଦଃସ୍କତ୍ କଃର୍। 9 ଇତାର୍ଗିନେ ରଃଜା ଦାରିୟାବସ୍ ସେ ଲେକା ଆର୍ ଆଦେସ୍-ବିଦିଏ ତାର୍ ଦଃସ୍କତ୍ କଃଲା। 10 ଇତାର୍ହଃଚ ଇ ଲେକା ଉହ୍ରେ ରଃଜାର୍ ନାଉ ଆଚେ ବଃଲି ଜାଣ୍ଲାକେ ଦାନିୟେଲ୍ ନିଜାର୍ ଗଃରେ ଗଃଲା; ତାର୍ ରେତା ବଃକ୍ରାର୍ ଜଃର୍କା ଜିରୁସାଲମ୍ ବାଟ୍ ମେଲା ରିଲି; ଆରେକ୍, ସେ ଆଗେ ଜଃନ୍କଃରି ପାର୍ତନା କଃର୍ତି ରିଲା, ସେନ୍କଃରି ଗଟ୍ ଦିନେ ତିନି ତର୍ ମାଣ୍ଡିକୁଟା ଦଃୟି ପାର୍ତନା କଃଲା ଆର୍ ନିଜାର୍ ମାପୁରାର୍ ଚଃମେ ଦନ୍ୟବାଦ୍ କଃରି ପାର୍ତନା କଃଲା।
11 ତାର୍ହଃଚେ ସେ ଲକମଃନ୍ ଗଟେକ୍ଅୟ୍ ଦାନିୟେଲାର୍ ଚଃମେ ଗଃଲାୟି ଆର୍ ମାପୁର୍ ଚଃମେ ପାର୍ତନା ଆର୍ ଗଃଉଆରି କଃର୍ତାର୍ ଦଃକ୍ଲାୟ୍। 12 ତଃବେ ସେମଃନ୍ ରଃଜାର୍ ଚଃମେ ଗଃଲାୟି ଆର୍ ରଃଜାର୍ ମଃନା କଃଲା ବିଦି ବିସୟେ ରଃଜାକ୍ ଏତାୟ୍ ଦିଲାୟ୍, ସେମଃନ୍ କଃୟ୍ଲାୟ୍ ଏ ମଃହାରଃଜା, ଜୁଣ୍ ଲକ୍ ତିରିସ୍ ଦିନ୍ ବିତ୍ରେ ତକେ ଚାଡି କୁୟି ଦେବ୍ତା କି ମାନାୟ୍କେ ପାର୍ତାନା କଃରେଦ୍, ସେ ସିମାବାଗାର୍ କାଲେ ହଃଳ୍ତି, ଇ ହର୍ ନିଅମାର୍ ଚିଟିୟେ କାୟି ତୁୟ୍ ତର୍ ନାଉ ଲେକି ନଃକେର୍ସି? ରଃଜା ଉତୁର୍ ଦଃୟି କଃୟ୍ଲା, ମାଦିୟ ଆର୍ ପାରସିକ୍ମଃନ୍କାର୍ ଅଃଟୁଉଆ ନିତି ହଃର୍କାରେ ତିର୍ ଅୟିଆଚେ।
13 ତାର୍ହଃଚେ ସେମଃନ ରଃଜାକ୍ ଉତୁର୍ ଦଃୟି କୟ୍ଲାୟ୍, ଏ ମଃହାରଃଜା, ବାନ୍ଦାଅୟ୍ ଆସି ରିଲା ଜିହୁଦି ଲକ୍ମଃନାର୍ ବିତ୍ରାର୍ ଗଟ୍ଲକ୍ ଦାନିୟେଲ୍, ସେ ତକେ କି ତର୍ ଦଃସ୍କତ୍ କଃଲା ନିସେଦ୍ ଚିଟିକେ ମାନିନଃକେରେ, ମଃତର୍ ଦିନ୍କେ ତିନିତର୍ ପାର୍ତନା କଃରୁଲା।
14 ତଃବେ ରଃଜା ଇ କଃତା ସୁଣି ବେସି ଦୁକ୍ ଅୟିଲା, ଆର୍ ଦାନିୟେଲ୍କେ ବାଚାଉଁକ୍ ଚେସ୍ଟା କଃଲା; ତାକେ ରଃକ୍ୟା କଃରୁକ୍ ବେଳ୍ ବୁଡ୍ତା ହଃତେକ୍ ଚେସ୍ଟା କଃଲା। 15 ଇତାର୍ହଃଚ ସେ ଲକ୍ମଃନ୍ ରଃଜାର୍ ଚଃମେ ଗଟେକ୍ଅୟ୍ କୟ୍ଲାୟ୍, ଏ ମଃହାରାଜ୍, ତୁୟ୍ ଜାଣ୍, ରଃଜା କୁୟି ନିସେଦ୍ କି ବିଦି କଃଲେକ୍, ସେରି ଜେ ବାଦୁଲ୍ ଅଃଉଁ ନଃହାରେ, ମାଦିୟ ଆର୍ ପାରସିକ୍ମଃନ୍କାର୍ ଇହର୍ ବିଦି ଆଚେ।
16 ତଃବେ ରଃଜା ଆଦେସ୍ କଃଲାକ୍, ସେମଃନ୍ ଦାନିୟେଲ୍କେ ଆଣି ସିଂହ ମଃନ୍କାର୍ କାଲେ ବେଟି ହଃକାୟ୍ଲାୟ୍। ଆରେକ୍, ରଃଜା ଦାନିୟେଲ୍କେ କୟ୍ଲା, ତୁୟ୍ ସଃବୁଦିନ୍ ଜୁୟି ଇସ୍ୱରାର୍ ସେବା କଃରୁଲିସ୍, ସେ ତକ୍ ରଃକ୍ୟା କଃରେଦ୍। 17 ଆରେକ୍, ଗଃଟେକ୍ ବଃଡ୍ ଟେଳା ଆଣି କାଲାର୍ ମୁୟେଁ ସଃଙ୍ଗାୟ୍ଲାୟ୍; ଦାନିୟେଲ୍କେ କାଲେ ହୁଣି ଜଃନ୍କଃରି କେଏ ବାର୍କଃରୁକ୍ ନଃହାର୍ତି, ଇତାର୍ ଗିନେ ରଃଜା ନିଜାର୍ ସିଲ୍ ଆର୍ ନିଜାର୍ ଅମାତ୍ୟମଃନ୍କାର୍ ସିଲ୍ ଲଃଗେ ସେରି ଟାପ୍ ମାର୍ଲା। 18 ଇତାର୍ହଃଚ ରଃଜା ନିଜାର୍ ଗଃରେ ଜାୟ୍ ଉପାସେ ରାତି କାଟାୟ୍ଲା ଆର୍ ବାଜା ବାୟ୍ଦ୍ ତାର୍ ଲଃଗେ ଆଣା ନୟ୍ଲି; ଆରେକ୍, ତାକ୍ ନିଦ୍ ନାୟ୍ଲି।
19 ଇତାର୍ହଃଚ ରଃଜା ସଃକାଳିୟା ଉଟି ଦାପେ ସିଂହମଃନାର୍ କାଲ୍ ଚମେ ଗଃଲା। 20 ଆରେକ୍କେ, ସେ କାଲ୍ ଚଃମେ ରଃଜା ଦାନିୟେଲାର୍ ଲଃଗେ ଜାୟ୍ କାନ୍ଦି କଃରି ବଃଡ୍ ଟଣ୍ଡ୍ କଃରି କୟ୍ଲା; ଏ ଜିବିତ୍ ଇସ୍ୱରାର୍ ସେବାକାରି ଦାନିୟେଲ୍, ତୁୟ୍ ସଃବୁବଃଳ୍ ଜାର୍ ସେବା କଃରୁଲିସ୍, ତର୍ ସେ ଇସ୍ୱର୍ ସିଂହ ମଃନାର୍ ତଃୟ୍ହୁଣି ତକେ ରଃକ୍ୟା କଃରୁକ୍ କି ସଃକ୍ତି ଆଚେ? 21 ସେତାକ୍ ଦାନିୟେଲ୍ ରଃଜାକ୍ କୟ୍ଲା, ଏ ମଃହାରାଜ୍, ଅଃମର୍ ଜିବନ୍ ଅଃଉ। 22 ମର୍ ଇସ୍ୱର୍ ନିଜାର୍ ଦୁତ୍ ହଃଟାୟ୍ ସିଂହ ମଃନାର୍ ଟଣ୍ଡ୍ ବଃନ୍ଦ୍ କଃରି ଆଚେ ଆର୍ ସେମଃନ୍ ମକେ ନାସ୍ ନଃକେର୍ତି; କାୟିତାକ୍ବଃଲେକ୍ ତାକାର୍ ଚଃମେ ମୁଁୟ୍ ନିର୍ଦସ୍ ଦଃକା ଗଃଲେ; ଆରେକ୍, ଏ ମଃହାରଃଜା, ମୁୟ୍ଁ ତର୍ ଟାଣେ ହେଁ କାୟିରି କଃରାପ୍ ନଃକେରି।
23 ତଃବେ ରଃଜା ଅଃଦିକ୍ ସଃର୍ଦାଅୟ୍ ଦାନିୟେଲ୍କେ କାଲେ ହୁଣି ବାର୍କଃରୁକ୍ ଆଦେସ୍ ଦିଲା। ଦାନିୟେଲ୍ କାଲେ ହୁଣି ବାର୍ଅୟ୍ଲା ଆର୍ ତାର୍ ଗଃଗାଳେ କାୟିହେଁ ଗାଉ ଅୟ୍ଲାର୍ ଦଃକା ନଃଗେଲି, କାୟିତାକ୍ବଃଲେକ୍ ସେ ନିଜାର୍ ଇସ୍ୱରାର୍ ଟାଣେ ବିସ୍ୱାସ୍ କଃରିରିଲା। 24 ଇତାର୍ହଃଚ ରଃଜା ଆଦେସ୍ କଃଲା, ଲକମଃନ୍ ଦାନିୟେଲାର୍ ମିଚ୍ ବିରଦିମଃନ୍କେ ଆଣି, ସେ ମଃନ୍କାର୍ ହିଲା ଆର୍ ସେମଃନ୍କାର୍ ମାୟ୍ଜିମଃନ୍କେ ସିଂହଁମଃନ୍କାର୍ କାଲେ ହଃକାୟ୍ଲାୟ୍; ଆରେକ୍, ସେମଃନ୍ କାଲ୍ ତଃଳେ ଅଦ୍ରିନଃକେରତ୍ ସିଂହଁମଃନ୍ ସେମଃନ୍କେ ଚିଣି ତାକାର୍ ଆଡ୍ ସଃବୁ ଗୁଣ୍ଡ୍ କଃଲାୟି। 25 ସଃଡେବଃଳ୍ ଦାରିୟାବସ୍ ସଃବୁ ହୁର୍ତିବି ବାସି, ସଃବୁ ଗସ୍ଟି, ଦେସ୍ବାସି ଆର୍ ବିନ୍ ବିନ୍ ବାସାର୍ ଲକାର୍ ଚଃମେ ଚିଟି ଲେକ୍ଲା; ତୁମିମଃନାର୍ ଉହ୍ରେ ଜଃବର୍ ସୁସ୍ତା ଅଃଉଅ। 26 ମୁୟ୍ଁ ଆଦେସ୍ କଃରୁଲେ ଜେ, ମର୍ ରାଇଜାର୍ ସଃବୁ ଲକମଃନ୍ ଦାନିୟେଲାର୍ ଇସ୍ୱର୍କେ ଡିରତ୍ ଆର୍ ମାୟ୍ନ୍ କଃରତ୍, କାୟିତାକ୍ ବଃଲେକ୍ ସେ ଜିବନ୍ ଇସ୍ୱର୍ ଆର୍ ସଃବୁବଃଳାର୍ ଇସ୍ୱର୍ ଆର୍ ତାର୍ ରାୟ୍ଜ୍ କଃବେ ନାସ୍ ନୟ୍; ଆରେକ୍ ତାର୍ ସାସନ୍ ସେସ୍ ହଃତେକ୍ ରଃୟ୍ଦ୍। 27 ସେ ଲକ୍ମଃନ୍କେ କେମା କଃରେଦ୍ ଆର୍ ରଃକ୍ୟା କଃରେଦ୍, ଆରେକ୍ ସେ ସ୍ୱର୍ଗେ ଆର୍ ହୁର୍ତିବିଏ ଚିନା ଆର୍ କାବାଅଃଉତା କାମ୍ କଃରେଦ୍; ସେ ଦାନିୟେଲ୍କେ ସିମା ମଃନାର୍ ଟାଣେ ହୁଣି ବାଚାୟ୍ ଆଚେ। 28 ଇହର୍ ଦାନିୟେଲ୍ ଦାରିୟାବସ୍ ସାସନ୍ ବଃଳ୍ ଆର୍ ପାରସିକ୍ କରସର୍ ସାସନ୍ ବଃଳ୍ ଆସିର୍ବାଦ୍ ହାୟ୍ଲା।