1 ଆବ୍ରାମ୍ ଆୟାଃ କୁଡ଼ିକେ ଓଡ଼ୋଃ ଆୟାଃ ସବେନାଃ ଇଦିକେଦ୍ତେ ମିସାର୍ ଦିଶୁମ୍ରାଃ ଦାକ୍ଷିଣ୍ସାଃରେ ତାଇନ୍ତାନ୍ କିନାନ୍ ଦିଶୁମ୍ତେ ସେନଃୟାନା। ଆୟାଃଲଃ ଲୁଟ୍ ହଗି ସେନଃୟାନାଏ। 2 ଆବ୍ରାମ୍ ପୁରାଃ କିସାଁଣ୍ ହଡ଼ ଓଡ଼ୋଃ ମାଇନାନ୍ ହଡ଼ ତାଇକେନା, ଇନିୟାଃ ପୁରାଃଗି ଆସୁଲ୍ ଜାଁତୁକ ଓଡ଼ୋଃ ସୋନା, ରୁପା ତାଇକେନା। 3 ଏନ୍ତେ ଇନିଃ ଦାକ୍ଷିଣ୍ସାଃଏତେ ବେଥେଲ୍ତେ ସେନ୍ହରାତାନ୍ଲଃ, ବେଥେଲ୍ ଓଡ଼ୋଃ ଅୟରାଃ ଥାଲାମାଲା ଠାୟାଦ୍ତାଃରେ ସିଦା ଆୟାଃ କୁମ୍ବା ବାଇକାଦ୍ ତାଇକେନାଏ, 4 ଏନ୍ ଠାୟାଦ୍ତାଃ ସେଟେର୍କେଦ୍ତେ ଆୟାଃ ବେଦି ହେପାଦ୍ତାଃରେ ପ୍ରାଭୁଆଃ ନୁତୁମ୍ତେ ଆବ୍ରାମ୍ ବିନ୍ତିକେଦା।
5 ଆବ୍ରାମ୍ଲଃ ସେନ୍ହରାତାନ୍ ଲୁଟ୍ରାଃ ହଗି ଗୋଟ୍ରେ ପୁରାଃ ମିଣ୍ଡି, ମେରମ୍, ଉରିଃକ୍ ଓଡ଼ୋଃ କୁମ୍ବାକ ତାଇକେନା। 6 ଏନାମେନ୍ତେ ଏନ୍ ଦିଶୁମ୍ରେ ବାରାନ୍କିନ୍କେ ମିଦ୍ତାଃରେ ତାଇନଃ ନାଙ୍ଗ୍ ଠାୟାଦ୍ କା ହବାୟାନା, ଚିୟାଃଚି ଇନ୍କିନାଃ ପୁରାଃଗି ମିଣ୍ଡି, ମେରମ୍ ଓଡ଼ୋଃ ଉରିଃକ୍ ତାଇକେନାକ। 7 ଏନ୍ତେ ଆବ୍ରାମ୍ ଓଡ଼ୋଃ ଲୁଟ୍ଆଃ ଆସୁଲ୍ ଜାଁତୁ ଗୁପିତାନ୍ ହଡ଼କଆଃ ଥାଲାରେ କାପ୍ଜି ହବାୟାନା। ଏନ୍ ଦିପିଲିରେ ଏନ୍ ଦିଶୁମ୍ରେ କିନାନ୍ରେନ୍ ହଡ଼ ଓଡ଼ୋଃ ପିରିଷିୟରେନ୍ ହଡ଼କ ତାଇନଃ ତାଇକେନା।
8 ଏନ୍ତେ ଆବ୍ରାମ୍ ଲୁଟ୍କେ କାଜିକିୟା, "ଆଲାଙ୍ଗ୍ ବାରାନ୍କିନାଃ ଥାଲାରେ ଚାଏ ଆଲାଙ୍ଗ୍ଆଃ ମାହାଁରାକଆଃ ଥାଲାରେ ଜେତାନ୍ କାପ୍ଜି ଆଲକା ହବାଅଃକା, ଚିଆଃଚି ଆଲାଙ୍ଗ୍ ବାରାନ୍କିନ୍ ହାଗିୟା ତାନ୍ଲାଙ୍ଗ୍। 9 ଗଟା ଦିଶୁମ୍ ଆମାଃ ଆୟାର୍ରେ ମେନାଃ। ଏନା ନାଙ୍ଗ୍ ଦାୟାକେଦ୍ତେ ଆଇଙ୍ଗ୍ତାଃଏତେ ବିନ୍ଗାଅଃମେ। ଆମ୍ ଲେଙ୍ଗାସାଃତେ ସେନ୍ ରେଦ, ଆଇଙ୍ଗ୍ ଜମ୍ସାଃତେ ସେନାଇଙ୍ଗ୍, ଚାଏ ଆମ୍ ଜମ୍ସାଃତେ ସେନ୍ରେଦ, ଆଇଙ୍ଗ୍ ଲେଙ୍ଗାସାଃତେ ସେନାଇଙ୍ଗ୍।"
10 ଲୁଟ୍ ସୋୟର୍ ଜାକେଦ୍ ଯାର୍ଦାନ୍ ନାହିଁ ଗେନାରାଃ ସବେନ୍ ପାର୍ଗାନ୍ରେୟାଃ ବୁଗିନ୍ ଅତେ ନେଲ୍କେଦାଏ, ଏନା ପ୍ରାଭୁଆଃ ବାଗାନ୍ ଓଡ଼ୋଃ ମିସାର୍ ଦିଶୁମ୍ ଲେକାଗି ସବେନ୍ସାଃ ଦାଆଃ ଲିଙ୍ଗିଅଃ ତାଇକେନା। ଚିଆଃଚି ଏନ୍ ନେଣ୍ଡାରେ ସଦୋମ୍ ଓଡ଼ୋଃ ଗମ୍ରାକେ ପ୍ରାଭୁ କାଏ ଜିୟନ୍କାଦ୍ ତାଇକେନା। 11 ଏନାମେନ୍ତେ ଲୁଟ୍ ଆୟାଃ ନାଙ୍ଗ୍ ଯାର୍ଦାନ୍ ନାହିଁ ଗେନାରେୟାଃ ସବେନ୍ ପାର୍ଗାନ୍କେ ସାଲାକେଦ୍ତେ ପୁରାବ୍ସାଃତେ ସେନଃୟାନା। ନେ'ଲେକାତେ ଇନ୍କିନ୍ ବିନ୍ଗାଅୟାନା। 12 ଆବ୍ରାମ୍ କିନାନ୍ ଦିଶୁମ୍ରେ ତାଇନ୍ୟାନା, ଓଡ଼ୋଃ ଲୁଟ୍ ଏନ୍ ସାମାନ୍ ଠାୟାଦ୍ରେୟାଃ ସବେନ୍ ନାଗାର୍କରେ ତାଇନ୍କେଦ୍ତେ ସଦୋମ୍ ନାଗାର୍ ହେପାଦ୍ରେ କୁମ୍ବା ବାଇକେଦାଏ। 13 ଏନ୍ ସଦୋମ୍ ନାଗାର୍ରେନ୍ ହଡ଼କ ପୁରାଃ ଏତ୍କାନ୍ ଓଡ଼ୋଃ ପାପି ତାଇକେନାକ। ପ୍ରାଭୁଆଃ ଆୟାର୍ରେ ପୁରାଃଗି ପାପ୍ କାମିକ ରିକାକେଦା।
14 ଲୁଟ୍ ଆବ୍ରାମ୍ତାଃଏତେ ବିନ୍ଗାଅୟାନ୍ ତାୟମ୍ତେ, ପ୍ରାଭୁ ଆବ୍ରାମ୍କେ କାଜିକିୟା, "ଆମ୍ ତିଙ୍ଗୁକାନ୍ ଠାୟାଦ୍ଏତେ ଉତ୍ତାର୍, ଦାକ୍ଷିଣ୍, ପୁରାବ୍ ଓଡ଼ୋଃ ପାଶ୍ଚିମ୍ ସାଃତେ ନେଲେମେ, 15 ଆମ୍ ଅକ ଅତେକ ନେଲେତାନାମ୍, ଏନ୍ ସବେନ୍ ଅତେକେ ଆଇଙ୍ଗ୍ ଆମ୍କେ ଓଡ଼ୋଃ ଆମାଃ କିଲିକକେ ଜାନାଅ ଜାନାଅ ନାଗେନ୍ତେଇଙ୍ଗ୍ ଏମାକଆ। 16 ଆଇଙ୍ଗ୍ ଆମାଃ କିଲିକକେ ଅତେରେୟାଃ ଧୁଡ଼ି ଲେକାଇଙ୍ଗ୍ ପସାକଆ, ଜେତାଏ ଧୁଡ଼ିକେ ଲେକା ଦାଡ଼ିୟାଏ, ଇନିଃ ଏସ୍କାର୍ ଆମାଃ କିଲିକକେ ଲେକା ଦାଡ଼ିୟା। 17 ବିରିଦ୍ମେ, ନେ ଅତେରେୟାଃ ଚାରିଓସାଃଏତେ ସେନ୍ମେ, ଚିଆଃଚି ଆଇଙ୍ଗ୍ ଆମ୍କେ ଏନାଇଙ୍ଗ୍ ଏମାମ୍ତାନା।" 18 ଏନ୍ତେ ଆବ୍ରାମ୍ ଆୟାଃ କୁମ୍ବା ଇଦିକେଦ୍ତେ ହେବ୍ରୋଣ୍ରେୟାଃ ମମ୍ରି ନୁତୁମ୍ ମିଆଁଦ୍ ମାରାଙ୍ଗ୍ ଦାରୁ ବୁଟାରେ ତାଇନ୍ୟାନା ଓଡ଼ୋଃ ଏନ୍ତାଃରେ ପ୍ରାଭୁଆଃ ନୁତୁମ୍ତେ ମିଆଁଦ୍ ବେଦି ବାଇକେଦା।