1 ଯାକୁବ୍ ଓଡ଼ୋଃ ଲେୟାରାଃ ହନ୍ତେକୁଡ଼ି ଦିନା ଏନ୍ ଦିଶୁମ୍ରେନ୍ କୁଡ଼ିହନ୍କଲଃ ନେପେଲ୍ ନାଗେନ୍ତେ ସେନଃୟାନା। 2 ହିବ୍ବୀୟ ହଡ଼କଆଃ ହାମୋର୍ ନୁତୁମ୍ ଆଗୁଆଇରାଃ ହନ୍ତେକଡ଼ା ଶିଖିମ୍, ଏନ୍ କୁଡ଼ିକେ ନେଲ୍କେଦ୍ତେ, ଇନିଃଲଃ ହଡ଼୍ମରାଃ ଏତ୍କାନାଃ କାମିକେଦା। 3 ଯାକୁବ୍ରାଃ ହନ୍ତେକୁଡ଼ି ଦିନାତାଃରେ ଇନିୟାଃ ମନ୍ ତାଇନ୍ୟାନ୍ ହରାତେ ଇନିଃ ଏନ୍ କୁଡ଼ିକେ ଦୁଲାଡ଼୍ରେୟାଃ କାଜିକ କାଜିକେଦ୍ତେ ଦୁଲାଡ଼୍କିୟା। 4 ଏନ୍ତେ ଶିଖିମ୍ ଆୟାଃ ଆପୁ ହାମୋର୍କେ କାଜିକିୟା, "ଏନ୍ କୁଡ଼ିଲଃ ଆଇଙ୍ଗ୍କେ ଆଣ୍ଦି ତାଇଙ୍ଗ୍ମେ।"
5 ଏନ୍ତେ ଯାକୁବ୍ ଆୟୁମ୍କେଦାଏ ଯେ, ଆୟାଃ ହନ୍ତେକୁଡ଼ି ଦିନାଲଃ ଶିଖିମ୍ ଗିହୁଗଃ ଲେକାନ୍ କାମି ରିକାକାଦା। ଇମ୍ତା ଆୟାଃ ହନ୍କ ଆସୁଲ୍ ଜାଁତୁକକେ ପିଡ଼ିରେ ଗୁପିକ ତାଇକେନ୍ ହରାତେ ଇନିଃ ଇନ୍କୁଆଃ ସେଟେର୍ ଜାକେଦ୍ ହାପାକେଦ୍ତେ ତାଇନ୍ୟାନା। 6 ଶିଖିମ୍ରାଃ ଆପୁତେ ହାମୋର୍, ଯାକୁବ୍ଲଃ ଜାଗାର୍ ନାଗେନ୍ତେ ସେନଃୟାନା। 7 ଇମ୍ତା ଯାକୁବ୍ଆଃ ହନ୍କ ଏନ୍ ଖାବାର୍ ଆୟୁମ୍କେଦ୍ଲଃ ପିଡ଼ିଏତେ ରୁହାଡ଼୍ୟାନାକ। ଶିଖିମ୍ ଯାକୁବ୍ରାଃ ହନ୍ତେକୁଡ଼ିଲଃ ହଡ଼୍ମରାଃ ଏତ୍କାନ୍ କାମି ଆୟୁମ୍କେଦ୍ତେ ହାଏକାଟ୍ ଓଡ଼ୋଃ ପୁରାଃଗି ଖିସ୍ୟାନାକ। ଚିୟାଃଚି ଶିଖିମ୍ ଯାକୁବାଃ ହନ୍ତେକୁଡ଼ିଲଃ ଅକ ସତ୍ରା କାମି ରିକାକାଦ୍ ତାଇକେନାଏ ଏନା ଇସ୍ରାଏଲ୍ ହଡ଼କଆଃ ଥାଲାରେ ଗିହୁଗାନ୍ ଲେକାନ୍ କାମି ରିକାକାଦ୍ ତାଇକେନାଏ। 8 ଇମ୍ତା ହାମୋର୍ ଇନ୍କୁଲଃ ଜାଗାର୍ ତାନ୍ଲଃ କାଜିୟାଦ୍କଆଏ, "ଆପେୟାଃ ହନ୍କୁଡ଼ିକେ ଆଇଁୟାଃ ହନ୍ ଶିଖିମ୍ ପୁରାଃଗି ଦୁଲାଡ଼୍ତାନାଏ, ଏନାମେନ୍ତେ ଆଇଁୟାଃ ହନ୍ଲଃ ଇନିଃକେ ଆଣ୍ଦିତାଇପେ। 9 ଓଡ଼ୋଃ ଆଲେଲଃ ଆଣ୍ଦିରେୟାଃ ନାତା ଦହେପେ, ଆପେୟାଃ ହନ୍କୁଡ଼ିକକେ ଆଲେକେ ଆଣ୍ଦି ଏମାଲେପେ ଓଡ଼ୋଃ ଆଲେୟାଃ ହନ୍କୁଡ଼ିକକେ ଆପେ ଆଣ୍ଦି ଇଦିକପେ। 10 ଏନ୍ରେଦ, ଆପେ ଆଲେଲଃ ନେ ଦିଶୁମ୍ରେ ତାଇନ୍ ଦାଡ଼ିୟାପେ, ଗଟା ଦିଶୁମ୍ ଆପେୟାଃ ଆୟାର୍ରେ ମେନାଃ, ଏନାରେ ତାଇନ୍ପେ ଓଡ଼ୋଃ କିରିଙ୍ଗ୍ ଆଖ୍ରିଙ୍ଗ୍ ରିକାତାନ୍ଲଃ ଆକ୍ତେୟାର୍ ରିକାଏପେ।"
11 ଏନ୍ତେ ଶିଖିମ୍ ଦୀଣାରାଃ ଆପୁତେକେ ଓଡ଼ୋଃ ହାଗାକକେ କାଜିକେଦ୍କଆଏ, "ଆଇଁୟାଃ ଚେତାନ୍ରେ ଆପେୟାଃ ସାୟାଦ୍ ତାଇନ୍କା ଓଡ଼ୋଃ ଆପେ ଅକଆଃ ଆସିୟାପେ, ଏନା ଏମଃଆ। 12 କୁଡ଼ିରାଃ ଗନଙ୍ଗ୍ଟାକା ଚିମିନାଙ୍ଗ୍ ଆସିୟାପେ, ଇମ୍ନାଙ୍ଗ୍ ଏମାପେୟାଇଙ୍ଗ୍। ମେନ୍ଦ ନେ କୁଡ଼ିକେ ଆଇଁୟାଃଲଃ ଆଣ୍ଦି ଏମାଇଙ୍ଗ୍ପେ।"
13 ଚିୟାଃଚି ଶିଖିମ୍ ଯାକୁବ୍ଆଃ ମିଶିତେ ଦିନାଲଃ ଗିହୁଗଃ ଲେକାନ୍ କାମି ରିକାକାଦ୍ ହରାତେ ଏନ୍ ସବେନ୍କ ହସଡ଼ତେ ଶିଖିମ୍ଲଃ ଓଡ଼ୋଃ ଆୟାଃ ଆପୁ ହାମୋର୍ଲଃ ଜାଗାର୍କେଦାକ। 14 ଇନ୍କୁ ଇନିଃକେ କାଜିକିୟାକ, "ଆଲେ କା ଖାତ୍ନାକାନ୍ ହଡ଼ଲଃ ଆଲେୟାଃ ମିଶିକେ କାଲେ ଆଣ୍ଦି ଦାଡ଼ିୟା। ଏନ୍ ଲେକା ରିକାଲେରେ, ଆଲେ ନାଗେନ୍ତେ ଗିହୁଃରାଃ କାଜି ହବାଅଃଆ। 15 ଆମ୍କେ ମିଆଁଦ୍ ଏସ୍କାର୍ କାମି ରିକା ଲାଗାତିୟାଁଃ, ଆପେ ସବେନ୍ କଡ଼ାକ ଆଲେୟାଃ ଲେକା ଖାତ୍ନାଅ ରିକାଅଃପେ, ତାବ୍ଦ ଆଲେ ଆପେୟାଃ କାଜିରେ ମିଦ୍ମନ୍ ରିକାନାଃଲେ। 16 ଆଲେ ଆଲେୟାଃ ହନ୍କୁଡ଼ିକକେ ଆପେକେ ଏମାପେୟାଲେ ଓଡ଼ୋଃ ଆପେୟାଃ ହନ୍କୁଡ଼ିକକେ ଆଲେୟାଃ ହନ୍କଡ଼ାକ ନାଙ୍ଗ୍ ଆଣ୍ଦି ଆଉକଆଲେ। ଆଲେ ଆପେୟାଃ ହଡ଼କଲଃ ତାଇନାଃଲେ ଓଡ଼ୋଃ ଆବୁ ସବେନ୍କ ମିଆଁଦ୍ ଜାତିରେନ୍ ହବାଅଃଆବୁ। 17 ମେନ୍ଦ ଆପେ ଆଲେୟାଃ କାଜିକେ ଓଡ଼ୋଃ ଖାତ୍ନାଅରେୟାଃ କାଜିକେ କା ମାନାତିଙ୍ଗ୍ ରେଦ, ଆଲେ ଆଲେୟାଃ ହନ୍କୁଡ଼ିକେ ଇଦିକେଦ୍ତେ ସେନଃଆଲେ।"
18 ହାମୋର୍ ଓଡ଼ୋଃ ଆୟାଃ ହନ୍ତେକଡ଼ା ଶିଖିମ୍, ଇନ୍କୁଆଃ କାଜିରେ ସୁକୁୟାନାକିନ୍। 19 ଓଡ଼ୋଃ ଏନ୍ ଧାଙ୍ଗ୍ଡ଼ା କଡ଼ା ବିଲାମ୍ କା ରିକାକେଦ୍ତେ ଇମ୍ତାଗି ଇନ୍କୁଆଃ କାଜି ଲେକା ରିକାକେଦାଏ, ଚିୟାଃଚି ଇନିଃ ପୁରାଃଗି ଯାକୁବ୍ଆଃ ହନ୍ତେକୁଡ଼ିକେ ଦୁଲାଡ଼୍ ତାଇକେନା। ଇନିଃ ଆକଆଃ କୁଟୁମ୍କଆଃ ଥାଲାରେ ମିଆଦ୍ ମାଇନାନ୍ ମାରାଙ୍ଗ୍ ମୁଖିଆ ହଡ଼ ତାଇକେନାଏ।
20 ଏନ୍ ତାୟମ୍ତେ ହାମୋର୍ ଓଡ଼ୋଃ ଆୟାଃ ହନ୍ତେକଡ଼ା ଶିଖିମ୍ ଆପ୍ନାଃ ନାଗାର୍ତେ ରୁହାଡ଼୍ୟାନ୍ଲଃ ଏନ୍ତାଃରେନ୍ ହଡ଼କଲଃ ଜାଗାର୍କେଦ୍ତେ କାଜିକେଦାକିନ୍, 21 "ନେ ହଡ଼କ ଆବୁଲଃ ସାଙ୍ଗାତି ରିକା ସାନାଙ୍ଗ୍ତାନାକ, ଏନାମେନ୍ତେ ନେ ହଡ଼କକେ ନେ ଦିଶୁମ୍ରେ ତାଇନ୍ ନାଗେନ୍ତେ ଓଡ଼ୋଃ କିରିଙ୍ଗ୍ ଆଖ୍ରିଙ୍ଗ୍ ନାଗେନ୍ତେ ଠାୟାଦ୍ ଏମଃକା। ଚିୟାଃଚି ଇନ୍କୁ ନାଗେନ୍ତେ ହଗି ନେ ଦିଶୁମ୍ରେ ପୁରାଃଗି ଠାୟାଦ୍ ମେନାଃ ଓଡ଼ୋଃ ଆକଆଃ ହନ୍କୁଡ଼ିକକେ ଆବୁଆଃ ହନ୍କଡ଼ାକଲଃ ଆଣ୍ଦି ଏମଃଆ ଓଡ଼ୋଃ ଆବୁଆଃ ହନ୍କୁଡ଼ିକକେ ଆକଆଃ ହନ୍କଡ଼ାକଲଃ ଆଣ୍ଦି ଏମଃଆ। 22 ମେନ୍ଦ ଇନ୍କୁ ଆବୁଲଃ ମିଦ୍ତାଃରେ ତାଇନଃ ନାଙ୍ଗ୍ ଓଡ଼ୋଃ ମିଦଃ ନାଙ୍ଗ୍ ଆବୁକେ ମିଆଁଦ୍ ଏସ୍କାର୍ କାମି ରିକା ଲାଗାତିୟାଁଃ, ଏନା ହବାଅଃତାନା, ଆବୁ ସବେନ୍ କଡ଼ାକକେ ଆକଆଃ ଲେକା ଖାତ୍ନାଅ ରିକା ହବାଅଃ ଲାଗାତିୟାଁଃ। 23 ଇନ୍କୁଆଃ ଖୁର୍ଜି ଓଡ଼ୋଃ ଆସୁଲ୍ ଜାଁତୁକ ଚିନାଃ ଆବୁଆଃ କାକ ହବାଅଃଆ ? ଆବୁକେ ଏସ୍କାର୍ ଇନ୍କୁଆଃ କାଜିରେ ତାଇନ୍ ଲାଗାତିୟାଁଃ, ଏନ୍କା ରିକାଲେରେ, ଇନ୍କୁ ଆବୁଲଃ ମିଦ୍ତାଃରେ ତାଇନାଃକ।" 24 ଇମ୍ତା ହାମୋର୍ ଓଡ଼ୋଃ ଆୟାଃ ହନ୍ତେକଡ଼ା ଶିଖିମ୍ରାଃ କାଜିରେ ଏନ୍ ନାଗାର୍ରେନ୍ ସବେନ୍ ହଡ଼କ ରାଜିୟାନା ଓଡ଼ୋଃ ନାଗାର୍ରେନ୍ ସବେନ୍ କଡ଼ାକ ଖାତ୍ନାଅୟାନା।
25 ଆପି ମାହା ତାୟମ୍ତେ ଇନ୍କୁକେ କା ସୁକୁକ ତାଇକେନ୍ ଇମ୍ତା, ଦିନାରାଃ ହାଗାତେ ଶିମିୟୋନ୍ ଓଡ଼ୋଃ ଲେବୀ, ଯାକୁବ୍ଆଃ ନେ ବାରାନ୍ ହନ୍କଡ଼ାକିନ୍ ତାରାଉଡ଼ି ସାବ୍କେଦ୍ତେ ବେଗାର୍ ବରତେ ଏନ୍ ନାଗାର୍କେ ଆକ୍ତେୟାର୍କେଦ୍ଲଃ ସବେନ୍ କଡ଼ାକକେ ମାଆଃ ଗଏଃକେଦ୍କଆକିନ୍। 26 ହାମୋର୍ ଓଡ଼ୋଃ ଆୟାଃ ହନ୍ତେକଡ଼ା ଶିଖିମ୍କେ ହଗି ତାରାଉଡ଼ିଲଃ ମାଆଃ ଗଏଃକେଦ୍ତେ ଶିଖିମ୍ଆଃ ଅଡ଼ାଃଏତେ ଦିନାକେ ଇଦିକିୟାକିନ୍। 27 ଯାକୁବ୍ଆଃ ଏଟାଃ ହନ୍କ ହିଜୁଃକେଦ୍ତେ ନାଗାର୍ରାଃ ସବେନାଃ ରେଃକ୍ ଇଦିକେଦାକ, ଚିଆଃଚି ଇନ୍କୁଆଃ ମିଶିକେ ଏନ୍ତାଃରେ ଗିହୁଗଃ ଲେକାନ୍ କାମି ରିକାକାଇ ତାଇକେନାକ। 28 ଇନ୍କୁ ଆକଆଃ ଗୋଟ୍ରେନ୍ ମିଣ୍ଡି, ଉରିଃକ୍, ଗାଧା ଓଡ଼ୋଃ ନାଗାର୍ରେୟାଃ ଲୟଙ୍ଗ୍ରାଃ ସବେନାଃ ରେଃକ୍ ଇଦିକେଦାକ। 29 ଇନ୍କୁଆଃ କୁଡ଼ିକକେ ଓଡ଼ୋଃ ହନ୍କକେ ତଲ୍କେଦ୍ତେ ଆକଆଃ ଅଡ଼ାଃରେ ତାଇକାନ୍ ସବେନ୍ ଖୁର୍ଜି ଓଡ଼ୋଃ ଅଡ଼ାଃରାଃ ଜିନିଷ୍କକେ ରେଃକ୍ ଇଦିକେଦାକ।
30 ଏନ୍ତେ ଯାକୁବ୍, ଶିମିୟୋନ୍ ଓଡ଼ୋଃ ଲେବୀକେ କାଜିକେଦ୍କିନା, "କିନାନିୟ ଓଡ଼ୋଃ ପିରିଷିୟ ଦିଶୁମ୍ରେନ୍ ହଡ଼କତାଃରେ ଆପେ ଆଇଙ୍ଗ୍କେ ହିଁଣି ରିକାକେଦ୍ତେ ସାଙ୍କାଟ୍ ଆଉକାଦାପେ। ଆଇଁୟାଃ ପୁରାଃ ହଡ଼କ ବାଙ୍ଗ୍କଆ ଏନାମେନ୍ତେ ନେ ଦିଶୁମ୍ରେନ୍ ସବେନ୍ ହଡ଼କ ହୁଣ୍ଡିକେଦ୍ତେ ଆଇଁୟାଃ ବିରୁଧ୍ରେ ବିରିଦାଃକ ଓଡ଼ୋଃ ଆଇଁୟାଃ ପାରିବାର୍ରେନ୍ ସବେନ୍କକେ ଜିଅନ୍କଆକ।"
31 ମେନ୍ଦ ଇନ୍କିନ୍ ଯାକୁବ୍କେ କାଜିରୁହାଡ଼୍କିୟାକିନ୍, "ଇନିଃ ଆଲେୟାଃ ମିଶିକେ ବେଶ୍ୟା ଲେକା କାମି ରିକାତେୟାଃ ଚିନାଃ ଆୟାଃ ନାଗେନ୍ତେ ଠାଉକା ତାଇକେନା ଚି ?"