ପ୍ରଭାତକାଳୀନ ପ୍ରାର୍ଥନା
ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।
1 ହେ ସଦାପ୍ରଭୋ, ମୋହର ବିପକ୍ଷମାନେ କିପରି ବଢ଼ିଅଛନ୍ତି।
ମୋʼ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ।
2 ଅନେକେ ମୋʼ ପ୍ରାଣ ବିଷୟରେ କହନ୍ତି, ପରମେଶ୍ୱରଙ୍କ
ନିକଟରେ ତାହା ପାଇଁ ପରିତ୍ରାଣ ନାହିଁ। [ସେଲା]
3 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ;
ମୋହର ଗୌରବ ଓ ମୋʼ ମସ୍ତକ ଉଠାଇବା କର୍ତ୍ତା ଅଟ।
4 ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ,
ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। [ସେଲା]
5 ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି;
କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି।
6 ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ
ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ।